Unknown

 

 

 

 

 

 

 

 

 

ବୈକୁଣ୍ଠନାଥଙ୍କ ଚଉତିଶାମାଳା

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

(୧) ଅନନ୍ତ ଅବ୍ୟକ୍ତ ଅଚ୍ୟୁତ

 

ଅନନ୍ତ ଅବ୍ୟକ୍ତ ଅଚ୍ୟୁତ ଆହେ ରମା ବଲ୍ଲଭ

ଆରତ ବେଳକୁ ମୋ ପ୍ରତି ବାରେ ସୁଦୟା ହେବ   ।୧।

 

ଈଶ ଶେଷ ଯେଉଁ ଚରଣେ ସେବୁ ଅଛନ୍ତି ରହି

ଇଷିତେ ସେ ପଦ ଛାୟାରେ ସତେ ରହିବି ଧ୍ୟାୟୀ   ।୨।

 

ଉର୍ଦ୍ଧ୍ଵରେତା କେତେ ଯୋଗରେ ବସି ସାରିଲେ ଦିନ

ଉଆଁସ ଅନ୍ଧାରେ ବୁଡ଼ିଲେ ହରାଇଣ ଚେତନ   ।୩।

 

ଋଷି, ମୁନି, ଯତି, ସତୀଏ ଅନୁବରତେ ଡାକି

ରୁଚିର ଚରଣ ନଖାଗ୍ର ନପାରିଲେତ ଦେଖି   ।୪।

 

ଲୁବ୍ଧକ କି କଲା ତା ପାଇଁ ଏତେ ହେଲାକ ଦୟା

ଲୁଟାଇଲ କୃପା ଭଣ୍ଡାର ତରି ଗଲାସେ ମାୟା   ।୫।

 

ଏ ଘଟିତ ଚିର ନୁହଇଁ ସବୁ ଶାସ୍ତ୍ରେ କହୁଛି

ଐରୀ ପଣ ସାଧି ପ୍ରକୃତି ନିତି ଦଣ୍ଡ ଦେଉଛି   ।୬।

 

ଓଁ ମତି ଅକ୍ଷର ଅଭ୍ୟାସେ ମନ ନୋହିଣ ସ୍ଥିର

ଔଷଧି ଅଛିକି ୟାପରେ ଖୋଜେ ବାରକୁ ବାର   ।୭।

 

କହିବି କଥାଏ କରୁଣା ଯଦି ଥିବ ମୋ ଠାରେ

ଖିଆଲ ଯେପରି ରହିବ ତୁମ୍ଭନାମ ଅନ୍ତରେ   ।୮।

 

ଗୁରୁତର ଭବ ଯନ୍ତ୍ରଣା ମୋତେ ଲାଗିବ ନାହିଁ

ଘଟାନ୍ତର ହେବ ସତେକି ଗୁରୁ ଶ୍ରୀକୃଷ୍ଣ କହି   ।୯।

 

ଅନୁସରି ଅଚି ଆଦ୍ୟହୁଁ ଆହେ ମୁରଲୀଧର

ଚରମେ ସରଣୀ ଦେଖାଇ ପାପୁଁ କରିବ ପାର   ।୧୦।

 

ଛନ୍ନକା ହେଉଛି ଚିତ୍ତରେ ଛନ୍ଦ ପ୍ରୟାଣ ବେଳେ

ଜୀବ ଆତ୍ମା ଲୀନ ହେବକି ଜ୍ୟୋତିର୍ମୟ ମଣ୍ଡଳେ   ।୧୧।

 

ଝୁରୁ ଅଛି ବସି ପ୍ରଭୁ ହେ ଝିଙ୍କାରି ପରି ଗୁଣି

ନିକଟେ ମୋ ଥିବ ଅନ୍ୟତ୍ର କିଛି ନାହିଁ ମାଗୁଣି   ।୧୨।

 

ଟଳିଗଲେ ପ୍ରାଣ ଯାଉ ମୋ ତିଳେ ନାହିଁ ଶୋଚନା

ଠୁଳ ଶୂନ୍ୟ ଠିକ୍‌ କରିଛି ଠକ ବୈକୁଣ୍ଠ ସିନା   ।୧୩।

 

ଡାକି ହାକି ସବୁ କହୁଛି ଆହେ ଦେବାଧି ରାୟେ

ଢାଳେ ପାପ, ପୁଣ୍ୟ ଯେତେ ମୋ ଢାଳି ଦେଲି ତୋପାୟୋ   ।୧୪।

 

ଅନଘ ନାମଟି ବିଖ୍ୟାତ ଅଘ ଛୁଇଁବ କାହୁଁ

ତେଣୁ ତୋର ନାମ ସ୍ମରଣେ ତାପ ଦହନ ହେଉ   ।୧୫।

 

ଥୟ ଯାଇଁ କାହିଁ ହୋଇବି ଥରେ ଦେବକି କହି

ଦୁଃସହ ଦୁଃଖ ସଂସାରକୁ ଦେବ ନାହିଁ ପଠାଇ   ।୧୬।

 

ଧରିଥିବି ତୁମ୍ଭ ନାମକୁ ଯହିଁଥିବି ଗୋବିନ୍ଦ

ନିତ୍ୟ ରାସ ପ୍ରେମ ସାଗରେ ବୁଡ଼ି ହେବି ଆନନ୍ଦ ।୧୭।

 

ପ୍ରେମ ରୂପା ପାଶେ ସେବାରେ ଦେଇଥିବି ଖଟାଇ

ଫୁରୁଣା ହୋଇଣ ଖଟିବି ଫୁଲ ଗଭା ଯୋଗାଇ   ।୧୮।

 

ବଇଂଶୀ ଶବଦ ମୋହର ବରତନ ହୋଇବ

ଭାବି ବଇକୁଣ୍ଠ କହଇ ଯେବେ ମୋ ଅନ୍ତ ହେବ   ।୧୯।

 

ମାଗୁନାହିଁ ଧନ ରତନ ଅଷ୍ଟ ଐଶ୍ଵର୍ଯ୍ୟ ଆଦି

ଯେତେବେଳେ ଚିନ୍ତା କରିବି ଦିଶୁ ଶୂନ୍ୟ ସମାଧି   ।୨୦।

 

ରାତ୍ର ଦିବା ରବି ମଣ୍ଡଳେ ରହୁ ମନ ମୋହର

ଲୟାଙ୍ଗରେ ଲୀଳା ପ୍ରକାଶ ହେଉ ଶ୍ରୀ ଅଣାକାର   ।୨୧।

 

ବଡ଼ ପାପୀ ମୁହିଁ ଅଟଇ ଆହେ ଜଗତ ନାଥ

ଶରଣ ଦେଇ ନ ପାରିଲେ ସରିବ ମୋ ମହତ   ।୨୨।

 

ସଂସାରେ କାହର ହୋଇବି ଆଉ ହେବ କେ ସାହା

ସରୋଜ ସୁନ୍ଦର ଶ୍ରୀପଦେ ଯେବେ ନ ଦେବ ରାହା ।୨୩।

 

ହରି ପାପ ତାପ ପତିତ କେତେ ଦେଇଛି ତାରି

କ୍ଷମା ମାଗେ କ୍ଷୁଦ୍ର ବୈକୁଣ୍ଠ କର ଇଚ୍ଛା ଯେପରି   ।୨୪।

 

(୨) କଥାଏ କହୁଛି ତୋତେ

 

କଥାଏ କହୁଚି ତୋତେ ଶୁଣ ମନ ବାଇ

ଖିଆଲ ରଖିବୁ କ୍ଷଣେ ଭୁଲିଯିବୁ ନାହିଁ

ଗୁରୁ ଉପଦେଶ ହେଜି

ଘମଶ୍ୟାମ ଶ୍ରୀପୟରେ ସଦା ରହ ମଜି   ।୧।

ଉର୍ଦ୍ଧ୍ଵଦୃଷ୍ଟି ଦେଇ ବସି ଲଗାଇବୁ ଲୟ

ଚାରୁ ଚରଣରେ  ଚିତ୍ତ କରିବୁ ତୋ ଥୟ

ଛଡ଼ ଚକ୍ରପରେ ବିଜେ

ଜଗତ ଜୀବନ ଛିଡ଼ା ରାଧା ସାଥେ ନିଜେ   ।୨।

ଝଗଡ଼ା ତେଜି ତାହାଙ୍କୁ କର ଦରଶନ

ନମ ବିନୟ ଭକ୍ତିରେ ହେବେ ସେ ପ୍ରସନ୍ନ

ଟାକି ରହ ନିରନ୍ତର

ଠିକଣା କାଳେ କରୁଣା କରିବେ ଠାକୁର   ।୩।

ଡର ଭୟ ଦୂରେ ଯିବ ପାଇବୁ ଅଭୟ

ଢାଉରଙ୍ଗ ଦୁନିଆଁରୁ ତୁଟିଯିବ ମୋହ

ଅନା ଥରେ ନେତ୍ର ଖୋଲି

ତିନି ଜଗତରେ କେହି ନାହିଁ ତୋର ବୋଲି   ।୪।

 

ଥାଉ ଆନ ଧନ୍ଦା ନାମ ଫନ୍ଦା ତୁ ନଛାଡ଼

ଦୃଢ଼ କରି ଛନ୍ଦା ପାଦେ ତୋ ପ୍ରଣିତ ବାଢ଼

ଧନ୍ୟ ହେବ ଜନ୍ମ ତୋର

ନ ହୋଇବୁ ମୋହ ଜାଲେ ଛନ୍ଦି ବାରମ୍ବାର   ।୫।

 

ପରମାନନ୍ଦଙ୍କ ପ୍ରେମ ଚାଖିଲେରେ ତୁହି

ଫଡ଼କ ବୁଦ୍ଧି ତୋହର ଯିବରେ ପଳାଇ

ବୃନ୍ଦାବନ ଲୀଳା ରସ

ଭାବି ଭାବି ଭବରୋଗ କଳମଷ ନାଶ   ।୬।

 

ମହା ମହିମା ତାଙ୍କର କେ କହି ପାରିବ

ଯେ କହିବ ସେ ତାହାଙ୍କ ଭକ୍ତ ହୋଇଥିବ

ରସିକ ଯେ ତାଙ୍କ ପ୍ରେମେ

ଲବେ ନିମିଷେ ତା କଥା ନ ଭୁଲେ ଭରମେ   ।୭।

 

ବେଦ ଗାଉଥାଏ ନିତି ଯାହାଙ୍କର ଗୁଣ

ଶ୍ରେୟ ମଣିଥାନ୍ତି ଯାକୁ ସୁରମୁନି ଗଣ

ସେହି ସବୁରି ଆଶ୍ରୟ

ଶେଷବେଳକୁ ଶରଣ ଦେବେଟି ନିଶ୍ଚୟ   ।୮।

 

ହରଷରେ ଉଚ୍ଚ ସ୍ଵରେ ହରି ହରି ବୋଲି

ହସି ହସି ସଂସାର ମାୟାକୁ ଦିଅ ଠେଲି

କ୍ଷମାନିଧିଙ୍କୁ ସୁମରି

କ୍ଷମା ମାଗି ଦୋଷ କହେ ବଇ ବ୍ରହ୍ମଚାରୀ   ।୯।

 

(୩) କରି ଅନାସକ୍ତ କର୍ମ

 

କରି ଅନାସକ୍ତ କର୍ମ

କରିବା ପାଳନ ଗୀତାର ଧର୍ମ

ହେ ଭାଇମାନେ

କର୍ମେ  ଅନାସକ୍ତି ଗୀତାମର୍ମ   ।୧।

ଖିଆ ଅଡ଼ୁଆ ସୂତାର

ପରାୟେ ଏହି ଜୀବନ ଜଟିଳ

ହେ ଭାଇମାନେ

ଖୋଜି ପାଏ ଜ୍ଞାନୀ ସତ୍ୟ ନର   ।୨।

ଗେରୁଆ ଲୁଗା ଯେ ପିନ୍ଧି

ଗଭୀରେ ଜଟା ମୁକୁଟକୁ ପିନ୍ଧି

ହେ ଭାଇମାନେ

ଜୀବନ ରହିଲେ ନ ଘଟେ ସିଦ୍ଧି   ।୩।

ଘର ଘରଣୀ ଯେ ବିତ୍ତ

ଏଥେଁ ଯେହୁ ରହିପାରେ ନିର୍ଲିପ୍ତ

ହେ ଭାଇମାନେ

ସେହି ଯୋଗୀ ଏକା ଜ୍ଞାନବନ୍ତ   ।୪।

 

ନାହିଁ ଯା କ୍ଷମତା ତୃଷା

ନାହିଁ ଯାର ଯଶ ଆଶା ପ୍ରତ୍ୟାଶା

ହେ ଭାଇମାନେ

ସେହି ଜ୍ଞାନୀ ଲଭଇ ସୁଦଶା   ।୫।

 

ଚଞ୍ଚଳ ଚିତ୍ତ ଯେ ନୋହି

ଶୁଭା ଶୁଭେ ସମଭାବେ ରହଇ

ହେ ଭାଇମାନେ

ସାଧୁଜନ ଏକା ତାଙ୍କୁ କହି   ।୬।

 

ଛନ୍ଦ କପଟ ଯା ନାହିଁ

ପ୍ରୀତି ବା ଅପ୍ରୀତି ନାହିଁ କା ଠାଇଁ

ହେ ଭାଇମାନେ

ଯୋଗୀ ଜନ ଜାଣ ଏକା ସେହି   ।୭।

 

ଜାବି ନିଅଇ କଚ୍ଛପ

ନୁଜ ତନୁ ମଧ୍ୟେ ପାଦ ଯେମନ୍ତ

ହେ ଭାଇମାନେ

ଜ୍ଞାନୀ ଚଳେ ସଂସାରେ ତେମନ୍ତ   ।୮।

 

ଝାଟୁଆ ପରାଏ ହୀନ

ବିଷୟ ରସକୁ ମଣି ସଜ୍ଜନ

ହେ ଭାଇମାନେ

ତହୁଁ ନିବାରେ ଇନ୍ଦ୍ରିୟ ଗଣ   ।୯।

 

ନିଅନ୍ତି ଟାଣି ମନକୁ

ଇନ୍ଦ୍ରିୟେ ବିଷୟ ରସ ପାଶକୁ

ହେ ଭାଇମାନେ

ପ୍ରଲୋଭନ ପକାଇ ଜ୍ଞାନୀକୁ   ।୧୦।

 

ଟାଣ କରି ଏଣୁ ଚିତ୍ତ

ସ୍ଵବେଶେ ଇନ୍ଦ୍ରିୟ ରଖି ନିରତ

ହେ ଭାଇମାନେ

ବ୍ରହ୍ମାନନ୍ଦ ଭୁଞ୍ଜୁଥାନ୍ତି ସନ୍ଥ   ।୧୧।

 

ଠିକଣା ପଥେ ନ ରହି

ବିଷୟ ବିଷରେ ଯେ ଧ୍ୟାନ ଦେଇ

ହେ ଭାଇମାନେ

ତହୁଁ ଆସକ୍ତି ଜନମ ହୋଇ   ।୧୨।

 

ଡାକ ବଚନ ସନ୍ଥଙ୍କ

ନମାନି ବିଷୟେ ହେଲେ ଆସକ୍ତ

ହେ ଭାଇମାନେ

ତହୁଁ କାମ ହୁଅଇ ସଂଜାତ   ।୧୩।

 

ଢଳିଲେ କାମ କବଳେ

ତହୁଁ କ୍ରୋଧ ଜନ୍ମି ଚିତ୍ତକୁ ଘାରେ

ହେ ଭାଇମାନେ

କ୍ରୋଧୁଁ ଘୋର ମୋହ ଅବତରେ   ।୧୪।

 

ନ ରହିଲେ ଚିତ୍ତ ସ୍ଥିରେ

ସମ୍ମୋହ ଆବର୍ତ୍ତେ ପଡ଼େ ବିକଳେ

ହେ ଭାଇମାନେ

ସ୍ମୃତି ଭ୍ରଂଶ ଘଟେ ଅବହେଳେ   ।୧୫।

 

ତା ଠାରୁ ଦୁଃଖୀ କେ ଆଉ

ସ୍ମୃତି ଲୋପେ ପଥ ଝୁଣ୍ଟଇ ଯେହୁ

ହେ ଭାଇମାନେ

ବୁଦ୍ଧି ବୁଡ଼ି ଯାଏ ଚାହୁଁ ଚାହୁଁ   ।୧୬।

 

ଥଣ୍ଡା ଚିତ୍ତ ଯେହୁ ହୋଇ

ନିର୍ଲିପ୍ତେ ବିଷୟମାନ ଭୁଞ୍ଜଇ

ହେ ଭାଇମାନେ

ସ୍ଥିତ ପ୍ରଜ୍ଞ ଯୋଗୀ ସେ ବୋଲାଇ   ।୧୭।

 

ଦୁଃଖୀ ସେ, ନାହିଁ ଯା ଶାନ୍ତି

ଅଶାନ୍ତର ନାହିଁ ଭାବନାଶକ୍ତି

ହେ ଭାଇମାନେ

ଲୁପ୍ତ ହୁଏ ତାର ବୁଦ୍ଧି ବୃତ୍ତି   ।୧୮।

 

ଧୀବର ନାବ ଜଳରେ,

ଟଳମଳ ଯେହ୍ନେ ହୁଏ ଝଡ଼ରେ

ହେ ଭାଇମାନେ

ତେହ୍ନେ ବିଷୟ ବିମୂଢ଼ ନରେ   ।୧୯।

 

ନିବୃତ୍ତ ଇନ୍ଦ୍ରିୟଗଣେ,

ବିଷୟୁଁ କରନ୍ତି ଯେ ଜ୍ଞାନୀ ଜନେ

ହେ ଭାଇମାନେ

ସୁଖୀ ଏକା ଜଣେ ସେ ଜୀବନେ   ।୨୦।

 

ପ୍ରାଣୀ ଗଣେ ଯାହା ରାତି,

ଯୋଗୀ ଜନ ପକ୍ଷେ ତାହା ଦିନଟି

ହେ ଭାଇମାନେ

ସଦା ଓଲଟା ଜ୍ଞାନୀର ଗତି   ।୨୧।

 

ଫୁଲନ୍ତି ଅସାଧୁ ଯହିଁ,

ଦିବାଲୋକ ଜ୍ଞାନେ ହୁଅନ୍ତି ବାଇ

ହେ ଭାଇମାନେ

ଅନ୍ଧକାର ଦେଖେ ଯୋଗୀ ତହିଁ   ।୨୨।

 

ବଡ଼ ବଡ଼ ନଦୀଗଣେ

ସାଗରେ ପଡ଼ନ୍ତି ଆସି ଯେସନେ

ହେ ଭାଇମାନେ

ବେଳା ନ ଟପେ ସାଗର କ୍ଷଣେ   ।୨୩।

 

ଭୋଗ ଐଶ୍ଵର୍ଯ୍ୟ ବିଭୂତି

ଜ୍ଞାନୀ ପାଶେ ଆସି ଘୋଟି ଗଲେଟି

ହେ ଭାଇମାନେ

ଜ୍ଞାନବନ୍ତେ ନ ହରାନ୍ତି ମତି   ।୨୪।

 

ମାୟା ମମତା ତୁଟାଇ

ନିସ୍ପୃହ ଭାବେ ଯେ ଜ୍ଞାନୀ ଚଳଇ

ହେ ଭାଇମାନେ

ତ୍ୟାଗୀ ସନ୍ନ୍ୟାସୀ ଜାଣିବ ସେହି   ।୨୫।

 

ଯା’ ର ନାହିଁ ଅହଙ୍କାର

ବାଳୁତ ପରି ଯେ ସଦା ସରଳ

ହେ ଭାଇମାନେ

ସେହି ଏକା ଜାଣ ଯୋଗେଶ୍ଵର   ।୨୬।

 

ରଖି ଯେ ଆତ୍ମାରେ ଧ୍ୟାନ

ନିର୍ଦ୍ଵନ୍ଦ୍ଵ ଭାବେ ଯାପଇ ଜୀବନ

ହେ ଭାଇମାନେ

ଗୀତା ମତେ ସେ ସୁଖୀ ସ୍ଵାଧୀନ   ।୨୭।

 

ଲାଭ ନୁହେଁ ଟଙ୍କା ସୁନା

ବଡ଼ ତ୍ରୁଟି ବୋଲି ଏହାତ ଗଣା

ହେ ଭାଇମାନେ

ଆତ୍ମଜ୍ଞାନ ଲଭେ ଏକା ଗଣା   ।୨୮।

 

ବଞ୍ଚିବ ସ୍ଵଧର୍ମେ ଦିନ,

ନିଜଗୁଣ କର୍ମ ସ୍ଵଧର୍ମ ଜାଣ

ହେ ଭାଇମାନେ

ପର ଧର୍ମେ ଦିଅ ନାହିଁ ମନ   ।୨୯।

 

ସଂଶୟ ଧର୍ମେ ଘଟିଲେ

ଧର୍ମର ଗ୍ଲାନି ଆସି ଉପୁଜିଲେ

ହେ ଭାଇମାନେ

ପ୍ରଭୁ ଅବତରନ୍ତି ଭୂତଳେ   ।୩୦।

 

ଶ୍ଵାନ ଚଣ୍ଡାଳ ବ୍ରାହ୍ମଣ,

ସବୁଠାରେ ଯା’ର ସମାନ ଜ୍ଞାନ

ହେ ଭାଇମାନେ

ସେହି ସିନା ଏକା ଯୋଗୀଜନ   ।୩୧।

 

ସୁନା ମାଟି ଯା ଆଖିରେ,

ସମାନ ଦିଶଇ ଏହି ସଂସାରେ

ହେ ଭାଇମାନେ

ସେହି ରହେ ଏକା ସମାଧିରେ   ।୩୨।

 

ହାନିଲାଭ ଯା ସମାନ,

ଗୀତା ଘୋଷେ ସେହୁ ବିବେକି ଜନ

ହେ ଭାଇମାନେ

ସେହି  ଏକା ଅମୃତ ସନ୍ତାନ   ।୩୩।

 

କ୍ଷିତିରେ ଏ ଗୀତା ଯଜ୍ଞ

ପ୍ରଚାର କରନ୍ତି ଯେ ସାଧୁସୁଜ୍ଞ

ହେ ଭାଇମାନେ

ପ୍ରେମ ଭାବେ କର ତାହା ଭୋଗ୍ୟ   ।୩୪।

 

(୪) କହିବି ମିତଣୀ ଶୁଣ କଥାଏ

 

କହିବି ମିତଣୀ ଶୁଣ କଥାଏ, କିପରି ମେଣ୍ଟିବ କାଳର ଭୟେ

କାହାକୁ କରିବା ଲୟେ ବଉଳ ଗୋ   ।୧।

 

ଖିଆଲ କରିଣ କହନ୍ତି ଦୂତୀ, ଖଞ୍ଜନାଖି ଶୁଣ ମୋର ଭାରତୀ ବଉଳ ଗୋ

କ୍ଷଣେ ଡ଼େରି ତୋର ଶ୍ରୁତି ବଉଳ ଗୋ   ।୨।

 

ଗହନ ଏ ଜ୍ଞାନ ଅଟେ ଗୋ ସହୀ, ଗୁପତେ ରଖିବୁ ମନ ମନାଇ ବଉଳ ଗୋ

ଗୋଲା ହାଟ ନ୍ୟାୟ ଏହି ବଉଳ ଗୋ   ।୩।

 

ଘନଘନ ବଂଶୀ ସ୍ଵନ ଶୁଭୁଛି, ଘଟଣେ ତୋ ନାମ ଶବ୍ଦେ ମିଶିଛି ବଉଳ ଗୋ

ଘରେ ବାହାରେ ପୂରିଛି ବଉଳ ଗୋ   ।୪।

 

ଉଦୟ କାଳେ ତୁ ଦର୍ଶନ କର, ଉଆଁସ ନିଶାରେ ନାହିଁ ଅନ୍ଧାର, ବଉଳ ଗୋ

ଉଠି ଉଦେ-ଅସ୍ତ ବାର ବଉଳ ଗୋ   ।୫।

 

ଚନ୍ଦ୍ର ଅଙ୍ଗେ ସୂର୍ଯ୍ୟ ଭରିବୁ ଯେବେ, ଚୈତନ୍ୟ ମନ ରଖି ଏକ ଠାବେ, ବଉଳ ଗୋ

ଚିନ୍ତା ମାତ୍ରେ ଆଗେ ହେବେ ବଉଳ ଗୋ   ।୬।

 

ଛ ଛନ୍ଦେ କହୁଛି  ଛାଡ଼ିବୁ ନାହିଁ, ଛଡ଼ ଚକ୍ରେ ଠୁଳ କରିବୁ ବାଇ ବଉଳ ଗୋ

ଛାମି ଯିବ ଜନ୍ତୁ ସାଇଁ ବଉଳ ଗୋ   ।୭।

 

ଜାଗ୍ରତ ଥିବୁ ସହି ସଦାକାଳେ, ଜୀବ ପରମକୁ ନ ଦେଖି ହେଳେ, ବଉଳ ଗୋ

ଜୁଟା ତାଙ୍କୁ ଏକାଘରେ, ବଉଳ ଗୋ   ।୮।

 

ଝୁରି ହୁଅ ରାତ୍ର ଦିବସ ନିତି, ଝଗଡ଼ା କରିଲେ ପାରିବୁ ଜିତି, ବଉଳ ଗୋ

ଝାଡ଼େ ନ କରିବୁ ଭୀତି, ବଉଳ ଗୋ   ।୯।

 

ନିରଞ୍ଜନ ନିର୍ବିକାର  ଯା ନାମ, ନିୟତ ଥିଲେ ଯିବୁ ସେହିସ୍ଥାନ, ବଉଳ ଗୋ

ନିର୍ଗୁଣମୟ ଭୁବନ, ବଉଳ ଗୋ   ।୧୦।

 

ଟାଣୁଆ ଭକତ କେତେ ଫେରିଲେ, ଟାଣ ପଣ କରି ହାରି ସେ ଗଲେ, ବଉଳ ଗୋ

ଟୋପରେ ଯାଇ ପଡ଼ିଲେ, ବଉଳ ଗୋ   ।୧୧।

 

ଠାରି କହୁଚି ତୋତେ ପ୍ରାଣ ସହୀ, ଠିକ କର ମୂଳ ଅର୍ଦ୍ଧ ଚନ୍ଦ୍ରହିଁ, ବଉଳ ଗୋ

ଠାପୁଆ ବୈକୁଣ୍ଠ କହି, ବଉଳ ଗୋ   ।୧୨।

 

ଡୋଳାରେ ଡୋଳା ମିଶାଅଗୋ ତୋର, ଡାକୁଛି କି ନାମେ ଶବଦ ବାର, ବଉଳ ଗୋ

ଡାହାଣ ଭଜନ ସାର, ବଉଳ ଗୋ   ।୧୩।

 

ଢମ ପଣ ଛାଡ଼ି ନିର୍ମଳ ହୁଅ, ଢାଙ୍କୁଣି ଫିଟିବ ଦେଖିବୁ ଦିଅଁ, ବଉଳ ଗୋ

ଢୋକି ପାଦୁ ସୁଧା ପିଅ, ବଉଳ ଗୋ   ।୧୪।

 

ତରତର କେବେ ହୋଇବୁ ନାହିଁ, ତରକିଆଙ୍କ ପାଶକୁ ନଯାଇ, ବଉଳ ଗୋ

ତତ୍ତ୍ଵମନେ ସେବି ତୁହି, ବଉଳ ଗୋ   ।୧୬।

 

ଥୟ କର ହୃଦ ମଧ୍ୟରେ ଥୋଇ, ଥିର ଅଣାକାର ବ୍ରହ୍ମ ମୂଳହିଁ, ବଉଳ ଗୋ

ଥିବା ନଥିବାର ହୋଇ, ବଉଳ ଗୋ   ।୧୭।

 

ଦୟାନିଧି ଦୟା କରିଲେ ତୋତେ, ଦମ୍ଭ ମୋହ ସର୍ବ ହରିବ ଯେତେ, ବଉଳ ଗୋ

ଦୁଃଖ ନଥିବ କିଞ୍ଚିତେ, ବଉଳ ଗୋ   ।୧୮।

 

ଧୈର୍ଯ୍ୟ ଧରି ଧ୍ୟାନ ଧାରଣା କର, ଧରମ ଅଟଇ ଦେହର ଘର, ବଉଳ ଗୋ

ଧ୍ରୁବ ଏ ବାକ୍ୟ ନିକର, ବଉଳ ଗୋ   ।୧୯।

 

ନିତ୍ୟ ସ୍ଥଳେ ଗଳି ଯାଇଣ ପଶ, ନିତ୍ୟାନନ୍ଦ ଲଭି ହୁଅ ହରଷ, ବଉଳ ଗୋ

ନିତ୍ୟେ ନଛାଡ଼ତା ପାଶ, ବଉଳ ଗୋ   ।୨୦।

 

ପାଶେ ଅଷ୍ଟ ସଖୀ କରନ୍ତି ସେବା, ପରତେ ହୁଅ ଅଷ୍ଟ ହରେ ଦେବା, ବଉଳ ଗୋ

ପ୍ରେମ ବିକାଶିବ ଅବା, ବଉଳ ଗୋ   ।୨୧।

 

ଫୁଲ ହାରରେ ବିମଣ୍ଡିତ ହୋଇ, ଫୁରୁଣା ହୋଇଛି ନନ୍ଦ କହ୍ନାଇ, ବଉଳ ଗୋ

ଫୁଙ୍କାବନ୍ଧ ପରେ ରହି, ବଉଳ ଗୋ   ।୨୨।

 

ବଂଇଶୀ ଶବଦ ଯହିଁରେ ଠୁଳ, ବଇଠି ଛୂଡ଼ା ଚଉଦ ଅକ୍ଷର ବଉଳ ଗୋ

ବଳଦେବ ଶିରପର, ବଉଳ ଗୋ   ।୨୩।

 

ଭାବି ଶେଷ ଶିବ ବ୍ରହ୍ମାନାରଦ, ଭାବି ନ ପାରିଲେ ଯାହାଙ୍କ ଭେଦ, ବଉଳ ଗୋ

ଭାବି ବୈକୁଣ୍ଠ ସ୍ତବ୍‌ଧ, ବଉଳ ଗୋ   ।୨୪।

 

ମହାମାୟା ଯହିଁ ହୋଇଛି ଦ୍ଵାରୀ, ମାୟା ଘୋଟିଛି ଚାହିଁଲେ ସବୁରି । ବଉଳ ଗୋ

ମନାଇ ପାରିଲେ ତରି, ବଉଳ ଗୋ   ।୨୫।

 

ଜ୍ୟୋତିରାନନ୍ଦ ସେ ଦିବ୍ୟ ମୂରତି, ଯତନେ ସହସ୍ର ଜଳେ ଅଛନ୍ତି, ବଉଳ ଗୋ

ଜାଗ୍ରତରେ ବିହରନ୍ତି, ବଉଳ ଗୋ   ।୨୬।

 

ରାଧାଙ୍କୁ ଘେନି ବାମ ପାଶେ ସେହୁ, ରାମ ନାମ କ୍ଷର କ୍ଷରିଲା ଯହୁଁ , ବଉଳ ଗୋ

ରସିଛନ୍ତି ମହାବାହୁ, ବଉଳ ଗୋ   ।୨୭।

 

ଲକ୍ଷ୍ୟ ବଢ଼ାଅ ଗୋ ସେହି ସ୍ଥାନକୁ, ଲାବଣ୍ୟ ଦେଖ ଚୂଡ଼ା ଚନ୍ଦ୍ରିକାକୁ, ବଉଳ ଗୋ

ଲୟ କର ଅନାମକୁ, ବଉଳ ଗୋ   ।୨୮।

 

ବଂଇଶୀ ଧରି ଶ୍ରୀକରରେ ଶ୍ରୀହରି, ବାଉଛନ୍ତି ସ୍ଵରେ ଦେଇ ଲହରୀ, ବଉଳ ଗୋ

ବାଇ ହେବେ ବ୍ରଜନାରୀ, ବଉଳ ଗୋ   ।୨୯।

 

ସଜ ହୋଇ ଚାଲ ଯିବାଗୋ ସହୀ, ଶ୍ୟାମ ନଟବର ମୂରତୀ ଧ୍ୟାୟି, ବଉଳ ଗୋ

ସବୁ କାଳେ ଥିବା ରହି, ବଉଳ ଗୋ   ।୩୦।

 

ସେହି ଭାବ ଭାବି ହୋଇବା ଭୋଳ, ସଖୀ ସେବାରେ କଟାଇବା କାଳ, ବଉଳ ଗୋ

ସରିବ ସବୁ ଜଞ୍ଜାଳ ବଉଳ ଗୋ   ।୩୧।

 

ସବୁ ଗୋପାଙ୍ଗନା ହୋଇ ଏକତ୍ର, ସେବାମଣ୍ଡଳରେ କରନ୍ତି ନୃତ୍ୟ, ବଉଳ ଗୋ

ଶେଷେ ତ୍ରିଭଙ୍ଗିରେ ଯୁକ୍ତ, ବଉଳ ଗୋ   ।୩୨।

 

ହଜି ଯାଉ ଦେହ ନିତ୍ୟସ୍ଥଳରେ, ହଂଉକ୍ଷ ମିଶୁ ଶୂନ୍ୟମଣ୍ଡଳେ, ବଉଳ ଗୋ

ହକ୍‌ ଏହା କାଳେ କାଳେ, ବଉଳ ଗୋ   ।୩୩।

 

କ୍ଷମାନିଧି ପାଦ ପଦ୍ମରେ ଧ୍ୟାନ, କ୍ଷୁଦ୍ର ଅଧମ ବୈକୁଣ୍ଠ ବ୍ରାହ୍ମଣ, ବଉଳ ଗୋ

କ୍ଷଣେ ନଛାଡ଼ୁ ସେ ସ୍ଥାନ, ବଉଳ ଗୋ   ।୩୪।

 

(୫) କହୁଛି ମନ ଥରେ ମାନ ମୋ କଥା

 

କହୁଛି ମନ ଥରେ ମାନ ମୋ କଥା,

କାୟା ମଧ୍ୟେ ତୁ ଚିନ୍ତ ଛାୟା ଦେବତାରେ

କାଳଛପି ବସିଛି ତୋ ପଛ ପଟେ,

କଦରେ ଝାମ୍ପି ନେବ କେବେ କପଟେ ରେ   ।୧।

ଖଳବୁଦ୍ଧିକୁ ଛାଡ଼ି ଖିଆଲ କର

ଖଗପତି ନାମଟି କ୍ଷିତିରେ ସାରରେ

ଖେଳ ମାୟା ମମତା ଅଳପ ଦିନ

ଖଟାଅ କ୍ଷମାନିଧି ଚରଣେ ମନରେ   ।୨।

ଗେଲ ଗରବ ବୃଥା ବୋଲିଣ ହେଜ

ଗୋବିନ୍ଦ ଗୁଣ ଗୁଣି ଅନ୍ତରେ ଭଜ ରେ

ଗହନବନେ ପଶି ଭ୍ରମି ମରନା

ଗତି ମୁକତି ଏକା କାଳିଆ ସୁନାରେ   ।୩।

ଘୋଷି ହୁଅନା ଘର ଘରଣୀ ଗୁଣ

ଘୃଣା କରିବ ଦିନେ ରଖ ଚେତନ ରେ

ଘଟ ନଷ୍ଟରେ ସାହା ନୋହିବେ କେହି

ଘରେ ରହିବେ ତୋତେ ଏକା ପଠାଇରେ   ।୪।

 

ଊଣା ହୋଇବ ଯେବେ ତୋର ବୟସ

ଉହୁଁ କରିବେ ନାକେ ଘୋଡ଼ାଇ ବାସରେ

ଉପର ମନେ ଖାଲି ହୋଇଣ ବ୍ୟସ୍ତ

ଉସତେ ଚାହିଁଥିବେ ତୋ ମୃତ୍ୟୁ ପଥରେ   ।୫।

 

ଚତୁରପଣେ ଯେବେ ଚିନ୍ତିବୁ କୃଷ୍ଣ

ଚାରିଦିଗ ଅନ୍ଧାର ହୋଇବ ନଷ୍ଟରେ

ଚାରି ଚରଣେ ଚିତ୍ତ ଥିଲେ ବଳାଇ

ଚମକି ଯମ ଦୂତେ ଯିବେ ପଳାଇ ରେ   ।୬।

 

ଛାର ସଂସାର ସୁଖ ଛଳନା ମାତ୍ର

ଛନ୍ଦ ଦୁଶ୍ଚିନ୍ତା ଦ୍ଵନ୍ଦ୍ଵ ଦିବସ ରାତ୍ରରେ

ଛପନ କୋଟି ଜୀବ କାୟା ଧରିଣ

ଛାଡ଼ନ୍ତି ରଡ଼ି ମାୟା ଚକ୍ରେ ଘୂରିଣ   ।୭।

 

ଜଣେ ଦେଖୁଛି ନାଟ ବସି ସବୁରି

ଜଗତେ ଯା ଭିଆଣ ସବୁ ତାହାରିରେ

ଜଗତନାଥ ବୋଲି ନାମ ବହିଚି

ଜୀବାନ୍ତେ ଗତି ମୁକ୍ତି ବାଛି ଦେଉଛିରେ   ।୮।

 

ଝକମକି ପରାୟେ ଝଲକି ଦିଶେ

ଝିମିଟେ ପୁଣି କାହିଁ ଯାଇଣ ମିଶେରେ

ଝଗଡ଼ା ମତି ତେଜି ତାହଙ୍କୁ ଭଜ

ଝଟତି ହଟିଯିବ ଏଭବ ରୋଗ ରେ   ।୯।

 

ନିର୍ମଳ ହୃଦେ ନୀଳମଣିଙ୍କୁ ଧ୍ୟାୟି

ନିବିଡ଼ ବନ୍ଧନରୁ ପାଅ ତୁ ତ୍ରାହି ରେ

ନିଶ୍ଚୟ ବେଳ ହେଲେ ଶୁଣିବେ ସେହି

ନିତି ଲୟ ରଖିଥା ସେ ରୂପେ ତୁହିରେ   ।୧୦।

 

ଟାକି ବସିଥା ଛନ୍ଦା ପାଦ ପଦ୍ମକୁ

ଟେକ ଉଜାଣି ତୋର ନୀଚ୍ଚ ମନକୁ ରେ

ଟଳିଯିବ ଆସନ ନିଶ୍ଚେ ତାଙ୍କର

ଟିକିଏ ହେଲେ ତହୁଁ ନୁହଁ ଅନ୍ତରରେ   ।୧୧।

 

ଠୁଳ ମଧ୍ୟରେ ଧ୍ୟାନ ଧାରଣା କର

ଠିକଣା କାଳେ ଭ୍ରମ ନୋହିବ ତୋରରେ

ଠାକୁର ଠାରେ ଦୃଢ଼ ଯେ ରଖି ଥାଇ

ଠାବ ସେ ଦେବେ ବଇକୁଣ୍ଠ କହଇରେ   ।୧୨।

 

ଡେଙ୍ଗା ଜଗତି ପାଶେ କର ଦର୍ଶନ

ଡୋଳାରେ ଡୋଳା ମିଶା ରଖି ଚେତନ ରେ

ଡହକ ଧାପ ଜମା ଲାଗିବ ନାହିଁ

ଡର ଭୟ ଦୂରକୁ ଯିବ ପଳାଇ ରେ   ।୧୩।

 

ଢଳି ନାଚନ୍ତି ତୋର ନୟନ ଆଗେ

ଢଳ ହଳ ପ୍ରତିମା ଅତି ସରାଗେ ରେ

ଢମ ପଣରେ ମାତି ନହୁଅ ନାଶ,

ଢୋକି ସେ ପାଦୁ ମଧୁ ତୋଷ ମାନସରେ   ।୧୪।

 

ଅଣ ହେତୁରେ ବୁଡ଼ି ଅଜ୍ଞାନ ନୁହଁ

ଅନୁଭବ ସୂତ୍ରରେ ଲଗାଅ ଲୟରେ

ଅନ୍ତରେ ଦରଶନ କରୁଥା ନିତି

ଅନ୍ତେ ଲଭିବୁ ନିଶ୍ଚେ ପରମ ଗତି ରେ   ।୧୫।

 

ତିନି ଲୋକ କରତା ଅଟନ୍ତି ସେହି

ତରଣୀ କର ତାର ନାମକୁ ତୁହି ରେ

ତରିଯିବୁଟି ହେଳେ ମାୟା-ସମୁଦ୍ର

ତିଳେ ହେଁ ମନେ କିଛି ନଭାବ ଦ୍ଵନ୍ଦ୍ଵରେ   ।୧୬।

 

ଥୟ କରରେ ଥରେ ତୋ ବିବେକରେ

ଥରିବୁ କିଆଁ ଦଣ୍ଡଧର ପାଖରେ ରେ

ଥରେ ଗୋବିନ୍ଦ ଶବ୍ଦ ଯେବେ ଶୁଣିବ

ଥକା ହୋଇ ସେ ବୋକା ପଳାଇଯିବରେ   ।୧୭।

 

ଦକଦକ ହୁଅନା ଦିବା ଶର୍ବରୀ

ଦଣ୍ଡେ ଅଭ୍ୟାସ କରି କହ ଶ୍ରୀହରିରେ

ଦୁଃଖ ସୁଖ ସମସ୍ତ ତାଙ୍କରି ଦାନ

ଦମ୍ଭ ତେଜିଣ ଦମ୍ଭେ କର ଧିଆନ ରେ   ।୧୮।

 

ଧନ ଦରବ କିଛି ନୋହିବ ଲୋଡ଼ା

ଧରି ବଂଇଶୀ  ହେବେ ଆଗରେ ଛିଡ଼ା

ଧାରଣା ରଖିଥିଲେ ଛନ୍ଦା ଚରଣେ

ଧନ୍ଦା ଛାଡ଼ି ସେ ବନ୍ଧା ହେବେ ତୋ ପ୍ରେମେ ରେ   ।୧୯।

 

ନବନୀରଦ ଶ୍ୟାମ ନୁହେଁ କାହାର

ନିତି ଯେ ଭଜେ ପାଶେ ଥାନ୍ତି ତାହାର ରେ

ନୂଆ ନୂଆ ରୂପରେ ଦିଅନ୍ତି ଦେଖା

ନୃତ୍ୟ କରନ୍ତି ନାରୀ ମଧ୍ୟରେ ଏକାରେ   ।୨୦।

 

ପରମାନନ୍ଦ ପ୍ରେମେ ମାତିଣ ରହ

ପିଡ଼ୁ ସଂସାର ସୁଖ ପ୍ରମାଦମୟରେ

ପର ପ୍ରୀତିରେ ଶାନ୍ତି ମିଳେକି କେବେ

ପ୍ରେମମୟଙ୍କୁ ଚିନ୍ତ ଏକାନ୍ତ ଭାବେ ରେ   ।୨୧।

 

ଫନ୍ଦାକର ମନ ଶ୍ରୀଛନ୍ଦା ଚରଣ

ଫିଙ୍ଗି ସକଳ ଧନ୍ଦା ପଶ ଶରଣରେ

ଫିଟିବ ମାୟା ଫାଶ ହେବ ଉଶ୍ଵାସ

ଫାଲତୁ କଥାରେ ନକର ବିଶ୍ଵାସ ରେ   ।୨୨।

 

ବନମାଳୀ ନାମକୁ ମାଳି କରିଥା

ବଂଶୀ ବଦନ ଗୁଣ ନିତି ଝୁରୁଥା ରେ

ବେଳ ହେଲେ ସେ ତୋର କାମେ ଆସିବ

ବିବଦ ରାଶି ଅବହେଳେ ନାଶିବରେ   ।୨୩।

 

ଭକତି ଭାବେ ଭୋଳା ସେ ଭାବଗ୍ରାହୀ

ଭାବନାରୁ ଅନ୍ତର ନ କର ତୁହି ରେ

ଭବ ସଂସାରେ ଭଲ ତାଙ୍କରି ନାମ

ଭାବି ସେ ଭାବ ସରୁ ବୈକୁଣ୍ଠ ଦିନରେ   ।୨୪।

 

ମଉନେ ମରମରେ କରୁଥା ଧ୍ୟାନ

ମରଣ ବେଳେ କାଳେ ଦେବେ ଦର୍ଶନରେ

ମାନବ ଜନ୍ମ ତୋର ହୋଇବ ଧନ୍ୟ

ମାୟା ହଟିବ ଦୟା ହୋଇଲେ ଜାଣରେ   ।୨୫।

 

ଯନ୍ତ୍ର ଅଟେ ତୋ କାୟା ନିମିତ୍ତ ମାତ୍ର

ଯନ୍ତ୍ରୀ ଏହାକୁ କରି ଅଛି ଆୟତ ରେ

ଯେପରି ଇଚ୍ଛା ତାର ଚଳାଏ ସେହି

ଯୋଗସୂତ୍ର ତା ସାଥେ ରଖିଥା ତୁହିରେ   ।୨୬।

 

ରସିକ ରାଜ ସେ’ତ ରସଭଣ୍ଡାର

ରତି ରଖ ସେ ରୂପେ ତୁ ନିରନ୍ତର ରେ

ରବି କୋଟିଏ ଜିଣି ତେଜ ତାଙ୍କରି

ରାତ୍ରି ସେଠାରୁ ଯାଇଛି ଅପସରିରେ   ।୨୭।

 

ଲୟାଙ୍ଗେ ସାଧିକର ଭୋଗାଙ୍ଗେ ସିଦ୍ଧି

ଲକ୍ଷ୍ୟ ଲଗା ତହିଁକି ବିବେକ ବୁଦ୍ଧି ରେ

ଲବ ନିମିଷେ ସ୍ଥିର କରିଲେ ମନ

ଲୟ କାଳେ ପାଇବୁ ସେ ପାଦେ ସ୍ଥାନରେ   ।୨୮।

 

ବଡ଼ ଗହନ ପଥ ଅତି ସହଜ

ବିଶ୍ଵାସ ଦୃଢ଼ କରି ବସିଣ ହେଜରେ

ବଳେ ତୋ ଆଗେ ନାଚି ନାଚି ବୁଲିବେ

ବଂଧୁ ଭାବେ ତୋ ସଙ୍ଗେ ଗୁପ୍ତେ ଖେଳିବେ ରେ   ।୨୯।

 

ଶ୍ରୀକରେ ବେଣୁ ଧରି ବାଇବେ ଧୀରେ

ଶ୍ରବଣ ପାତି ତାହା ଶୁଣିଲେ ଥରେ ରେ

ଶାନ୍ତି ଲଭିବୁ ନିଶ୍ଚେ କାଳ କାଳକୁ

ଶ୍ୟାମ ସୁନ୍ଦର ସାହା ହେବେ ବେଳକୁ ରେ   ।୩୦।

 

ସୁକୃତରେ ଦୁଷ୍କୃତ ହୋଇବ କ୍ଷୟ

ସନ୍ତୋଷ ମନେ କରିଥିବୁ ଆଶ୍ରୟ ରେ

ସର୍ବଦା କାଳେ ଥିବୁ ସେବାରେ ରହି

ସୁଧା କୁଣ୍ଡରେ ମନ ଦେବୁ ବୁଡ଼ାଇ ରେ   ।୩୧।

 

ଷଟପଦ ହୋଇ ସେ ପାଦରେ ରହ

ଷଡ଼ ରସେ ମଧୁର ରସକୁ ପାଅରେ

ଷୋଡ଼ଶ ଉପଚାର ଲୋଡ଼ା ନ ହେବ

ଷଡ଼ ଦର୍ଶନ ତୋତେ ମୁକ୍ତି ନ ଦେବରେ   ।୩୨।

 

ହରି ହିର ସର୍ବଦା ବୋଲୁଥା ମୁଖେ

ହରଷ ଚିତ୍ତ ହୁଅ ଦୁଃଖ ବା ସୁଖେରେ

ହରି ଯିବ ତୋହର ସକଳ କ୍ଲେଶ

ହସି ସଂସାରୁ ଚଳିଯିବୁ ଅବଶ୍ୟରେ   ।୩୩।

 

କ୍ଷମା ନିଧିଙ୍କ ଠାରେ ରଖିଥା ଆଶା

କ୍ଷମା କରିବେ ନିଶ୍ଚେ କରିବା ଦୋଷ ରେ

କ୍ଷଣ ଭଙ୍ଗୁର ଦେହ ରହିବ ନାହିଁ

କ୍ଷଣେ ନଭୁଲ ବଇକୁଣ୍ଠ କହଇରେ   ।୩୪।

 

(୬) କୁଞ୍ଜବନ ବୁଲା କାଳିଆ ହାତୀ

 

କୁଞ୍ଜବନ ବୁଲା କାଳିଆ ହାତୀ ହେ କଳାକହ୍ନାଇ

ଖଣ୍ଡି ମୋ ଦୁର୍ଗତି ଘେନ ପ୍ରଣତି ହେ କଳାକହ୍ନାଇ   ।୧।

 

ଗଡ଼ି ଗଡ଼ି ଗଲା ବଳ ବୟସ ମୋ କଳାକହ୍ନାଇ

ଘଡ଼ିକେ ଘେରିବ ଘନ ତାମସ ହେ କଳାକହ୍ନାଇ   ।୨।

 

ଉଚ୍ଛୃଙ୍ଖଳେ କାଳ ଉଡ଼ାଇ ଧ୍ଵଜା ହେ କଳାକହ୍ନାଇ

ଚାର ସହ ମୋତେ କରିବ ଖୋଜା ହେ କଳାକହ୍ନାଇ   ।୩।

 

ଛନକା ସେକାଳେ ନୋହେ ଯେପରି ହେ କଳାକହ୍ନାଇ

ଜପି ଜଗବନ୍ଧୁ ଯିବି ଉଦ୍ଧରି ହେ କଳାକହ୍ନାଇ   ।୪।

 

ଝରାଇବ ନାମାମୃତ ମୋ କଣ୍ଠେ ହେ କଳାକହ୍ନାଇ

ନିଜେ ବିଜେ କରି ମାନସ ପଟେ ହେ କଳାକହ୍ନାଇ   ।୫।

 

ଚଳାଇ ନଦେବ ମନକୁ ଆନେ ହେ କଳାକହ୍ନାଇ

ଠିକେ ବଇକୁଣ୍ଠ ଏତିକି ଭଣେ ହେ କଳାକହ୍ନାଇ   ।୬।

 

ଡରାଇବେ ଯେବେ ଯମ ଡଗର ହେ କଳାକହ୍ନାଇ

ଢଳି ଠିଆ ହେବ ମୋର ଆଗର ହେ କଳାକହ୍ନାଇ   ।୭।

 

ଅଣାୟତ୍ତ ହୋଇ ଯିବେ ପଳାଇ ହେ କଳାକହ୍ନାଇ

ତୁମ୍ଭ ପାଦେ ଲୟ ଥିବ ମୋ ରହି ହେ କଳାକହ୍ନାଇ   ।୮।

 

ଥିର କରାଇ ଏ ଚଞ୍ଚଳ ମନ ହେ କଳାକହ୍ନାଇ

ଦୂରେ ବା ନିକଟେ ଦେବ ଦର୍ଶନ ହେ କଳାକହ୍ନାଇ   ।୯।

 

ଧ୍ୟାନ ସୂତ୍ରେ ଯେହ୍ନେ ତୋ ଛବି ଦେଖି ହେ କଳାକହ୍ନାଇ

ନୀଡ଼ୁ ଉଡ଼ିଯିବ ଜୀବନ ପକ୍ଷୀ ହେ କଳାକହ୍ନାଇ   ।୧୦।

 

ପ୍ରାର୍ଥନା ଏତିକି ପୂରଣ ପାଇଁ ହେ କଳାକହ୍ନାଇ

ଫନ୍ଦା କଲି ଛନ୍ଦା ଚରଣ ଚାହିଁ ହେ କଳାକହ୍ନାଇ   ।୧୧।

 

ବୃନ୍ଦାବନ ବଂଶୀ ବଟ ମୂଳିଆ ହେ କଳାକହ୍ନାଇ

ଭଣ୍ଡ ବୈକୁଣ୍ଠକୁ କରିବ ଦୟା ହେ କଳାକହ୍ନାଇ   ।୧୨।

 

ମନ୍ଦେ ମନ୍ଦେ ହସି ଅନାଇ ଦେବ ହେ କଳାକହ୍ନାଇ

ଯାତନା ବିନେ ମୋ ମରଣ ହେବ ହେ କଳାକହ୍ନାଇ   ।୧୩।

 

ରଖ ପଛେ ଯେଉଁ ଠାବରେ ନେଇ ହେ କଳାକହ୍ନାଇ

ଲକ୍ଷ୍ୟ ତବ ପ୍ରେମେ ଥିବ ଗୋସାଇଁ ହେ କଳାକହ୍ନାଇ   ।୧୪।

 

ବଡ଼ ପାତକି ମୁଁ କହୁଛି ସତ ହେ କଳାକହ୍ନାଇ

ଶୁଣିଛି ତୁମେ ପତିତଙ୍କ ନାଥ ହେ କଳାକହ୍ନାଇ   ।୧୫।

 

ସଫା ସବୁ ଦଫା ଦେଲି ତ କହି ହେ କଳାକହ୍ନାଇ

ଶେଷେ ରାୟ ଦେବ ରଫା ଲେଖାଇ ହେ କଳାକହ୍ନାଇ   ।୧୬।

 

ହୀନ ବୈକୁଣ୍ଠର ଏ ନିବେଦନ ହେ କଳାକହ୍ନାଇ 

ଖିଆଲ ରଖିବ ରାଧାମୋହନ ହେ କଳାକହ୍ନାଇ   ।୧୭।

 

(୭) କୋଟି ବ୍ରହ୍ମାଣ୍ଡର କରତା

 

କୋଟି ବ୍ରହ୍ମାଣ୍ଡର କରତା ଅଟନ୍ତି ଯେଉଁ ପ୍ରଭୁ

କାରଣ କରିବେ କହୁଛି  ପିଣ୍ଡ ପରାଣ ସବୁ   ।୧।

 

ଖଟିଥାନ୍ତି ଯେଉଁ ପାଦରେ ଦିବା ନିଶି କମଳା

ଖଟିଣ ସେ ପାଦ ମନରେ ଭବେ କରତୁ ଖେଳା   ।୨

 

ଗିରିଧାରି ଗର୍ବ ଗଞ୍ଜନ ଗୋପୀନାଥଙ୍କୁ ଧ୍ୟାୟି

ଜ୍ଞାନ ଧ୍ୟାନ ତେଜି ଗୋବିନ୍ଦ ପ୍ରେମେ ହୋଇବୁ ବାଇ   ।୩।

 

ଘନଶ୍ୟାମ ଘନସୁନ୍ଦର ଘଟଣ ଶ୍ରୀ ମୂରତି

ଘନ ଘନ ଘୋଷି ହୃଦୟେ ଘୁଞ୍ଚାଇବୁ ଅରାତି   ।୪।

 

ଅନନ୍ତ ମହିମା ଅତ୍ୟନ୍ତ ସ୍ନେହେ ରଟୁଣ ଥିବୁ

ଅସୀମ ଆଶିଷ ଲଭିତୁ ଅକୁଣ୍ଠିତେ ବାଣ୍ଟିବୁ   ।୫।

 

ଚରାଚରମୟ ଦେଖିବୁ ଯେବେ ଏକଇ ବ୍ରହ୍ମ

ଛଞ୍ଚଳତା ତେଜି ଚିତ୍ତରୁ ତୁଟାଇବୁ ତୋ ଭ୍ରମ   ।୬।

 

ଛଳପଣ ଛାଡ଼ି ଛନକା କେବେ ହୋଇବୁ ନାହିଁ

ଛାତି ଦମ୍ଭ କରି ଭଜିବୁ ଛୁଆ କଳାକହ୍ନାଇ   ।୭।

 

ଜଗତନାଥଙ୍କୁ ଯତନେ ଜୀବ ସ୍ଵରୁପେ ଚିନ୍ତି

ଯଶ ପଉରୁଷ ନ ମାଗି ସେବା କରିବୁ ନିତି   ।୮।

 

ଝଳି ମାର୍ଗେ ଝୁରି ହୋଇଲେ ଧନ୍ଦା ତୁଟିବ ତୋର

ଝଗଡ଼ା ସଂସାର ସାଗରୁ  ତେବେ ହୋଇବୁ ପାର   ।୯।

 

ନିତି ନୂଆ ନଟବରଙ୍କ ନଟ ନଛାଡୁ ତୋତେ

ନଗର ନଗରେ ନାଗରୀ ମେଳେ ରହ ସୁଚିତ୍ତେ   ।୧୦।

 

ଟଳାଇ ନଦିଅ ମନକୁ ଟାଣ ପାଦୁ ତାଙ୍କର

ଟାକି ବସିଥିବୁ ଟାଣରେ ଟିକେ ନୋହି ଅନ୍ତର   ।୧୧।

 

ଠାବ କରିଠିକେ ଚିହ୍ନିଁବୁ ଠୁଳ ଶୂନ୍ୟ ବିହାରୀ

ଠଉରାଇ ଅଛି ବୈକୁଣ୍ଠ ଠାପୁଆଗୁଣ ଧରି   ।୧୨।

 

ଡୋଳା ଗୋଚରରେ ଡେଉଁଛି ଡାକରେ ଡକା ପାରି

ଡାକି ନ ପାରିଲୁ ମନରେ ଡିଙ୍ଗର ଭାବ ଧରି   ।୧୩।

 

ଢଳ ହଳ ପ୍ରେମ ପ୍ରତିମା ଢଳି ନାଚନ୍ତି ଦେଖ

ଢମ ପଣ କରି ଢାଳେ ତୁ ନାସ ନଯାଅ ମୁର୍ଖ   ।୧୪।

 

ଅଣାକାର ଆଦି ଅଚ୍ୟୁତ ଯାର ଆକାର ନାହିଁ

ଅସୂତ୍ର ପଥେ ଅନୁସରି ଭକ୍ତେ ଅଛନ୍ତି ପାଇ   ।୧୫।

 

ତରତର ତୁହି ନହୋଇ ଲୟେ କର ତୋ ମନ

ତମାଲ ସମ ଶ୍ୟାମ ତନୁ ତୋର ହେବ ଦର୍ଶନ   ।୧୬।

 

ଥୟ ଚିତ୍ତେ ଥିର କରିଣ ଥିବୁ କାଳ କାଳକୁ

ଥର ଥର ତୁ ନ ଥରିବୁ ଜୀବ ଯିବା ବେଳକୁ   ।୧୭।

 

ଦରିଦ୍ର ନିଧିଙ୍କ ଧନକୁ ଦଣ୍ଡେ ଛାଡ଼ିବୁ ନାହିଁ

ଦରଦର ହାସ ଶ୍ରମୁଖ ଦେଉଥିବୁ ଅନାଇଁ   ।୧୮।

 

ଧରଣୀରେ ଯେତେ ଧରମ ଧ୍ୟାନ ଧାରଣା ଆଦି

ଧୂର୍ତ୍ତପଣେ ଧରି ଅଛନ୍ତି ତାଙ୍କ ଦେହେ ସଂପାଦି ।୧୯।

 

ନଯା ନବଦ୍ଵୀପ ଧାମକୁ ନଯା ପ୍ରୟାଗ ତୀର୍ଥ

ନନ୍ଦ ନନ୍ଦନ ବଂଶୀ ସ୍ଵନେ ନିତ୍ୟେ ମଜ୍ଜାଅ ଚିତ୍ତ   ।୨୦।

 

ପରମାନନ୍ଦଙ୍କୁ ପରତେ ହୁଅ ପାଗଳା ମନ

ପର ଅପରେ ପୂରିଛନ୍ତି ପଶି ମିଶ ବହନ   ।୨୧।

 

ଫନ୍ଦାକର ଛନ୍ଦା ଚରଣ ଫାନ୍ଦୁ ଫୁଟିବୁ ତୁହି

ଫରମାସ ଫାଙ୍କି ନଦେଇ ପଛେ ଥିବେ ଗୋଡ଼ାଇ   ।୨୨।

 

ବନ ବୁଲା ବନମାଳୀଙ୍କୁ ବ୍ରଜ ବାଳକମାନେ

ବସି ବିରଳରେ ବିଶେଷେ ଲୟ ଲଗା ବ୍ୟାକୁଳେ   ।୨୩।

 

ଭାବ ବିନୋଦିଆ ଭକତ ଭାବେ ହୁଅନ୍ତି ଭୋଳା

ଭାବି ବଇକୁଣ୍ଠ ଭାବରେ ହେଲା ପ୍ରେମ ପାଗଳା   ।୨୪।

 

ମହତ୍ତ  ମହିମା ମାନସେ ସେବା, ମଧୁର ରସ

ମରମ ମନ୍ଦିରେ ମନରେ ମୂର୍ଦ୍ଧନୀରେ ତା ବାସ   ।୨୫।

 

ଯମ ଯାତନା ଯହିଁ ନାହିଁ ଜାଗ୍ରତରେ ହେଜିଲେ

ଯୋଗୀ ଯାଗଯୋଗ ତେଜିଣ ବ୍ରଜଭାବ ଧ୍ୟାୟିଲେ   ।୨୬।

 

ରାତ୍ର ଦିବା ରବି ରଶ୍ମି ଯେ ହୋଇଅଛି ପ୍ରକାଶ

ରଖି ତହିଁ ମନ ଚୈତନ୍ୟ ଦେଖ ରାଧାଙ୍କ ରାସ   ।୨୭।

 

ଲାବଣ୍ୟ ମୂରତି ଲୟାଙ୍ଗ ଅଙ୍ଗେ ବଜାନ୍ତି ବେଣୁ

ଲୟ ସୂତ୍ରେ ଲକ୍ଷ ଲଗାଇ ଭକ୍ତେ ତରନ୍ତି ତେଣୁ   ।୨୮।

 

ବତିଶ  ନାୟିକା ବେଢ଼ାରେ ବେଢ଼ୁ ନାଚନ୍ତି ଯହିଁ

ବ୍ରହ୍ମା ବେଦବାକ୍ୟ ବଳରେ ନ ପାରିଲେ ତ ଯାଇ   ।୨୯।

 

ଶରଣ ସାହାଯ୍ୟ ଆଶାରେ ଶେଷ ଅଛନ୍ତି ପଡ଼ି

ଶୁକ ସନକାଦି ଶେଷରେ ସର୍ବେ ଗଲେଟି ହୁଡ଼ି   ।୩୦।

 

ସରସ ହୃଦୟେ ସନ୍ତୋଷ ହୋଇ ସେବାରେ ଥାଅ

ସରଗ ସୁଖକୁ ସାଦରେ ମନୁ ସାରିଣ ଦିଅ   ।୩୧।

 

ଷଣ ପୁଷ୍ପ ଜିଣା ଶ୍ରୀମତୀ ଆଜ୍ଞା ପରମାଣରେ

ସୁଷମା ଶ୍ରୀପଦେ ସେବିକୁ ଜ୍ଞାନ  ଅନୁମାନରେ   ।୩୨।

 

ହକ ଭାବ ହରି ପ୍ରସାଦ ହସ୍ତ ପ୍ରସାରି  ନେବୁ

ହରଷରେ ହରି ବୋଲିଣ ସହଜରେ ହଜିବୁ   ।୩୩।

 

କ୍ଷମା ହେବ ସର୍ବ ଅରିଷ୍ଟ ଇଷ୍ଟ ହୋଇବେ ଦୃଶ୍ୟ

ଖିଆଲ ରଖୁ ଜନ୍ମେ କ୍ଷୁଦ୍ର ବୈକୁଣ୍ଠ ଦାଶ   ।୩୪।

 

ଜଣାଣ ଗୀତିକା

(କ)

କାମନା କଳପତରୁ ହେ କମନୀୟ ମୂରତି

କରଯୋଡ଼ି କରେ ଗୁହାରି ତବ ରୂପକୁ ଚିନ୍ତି   ।୧।

 

କାମନା ମୋ ଆନେ ନାହିଁଟି ସତ କହୁଛି ମୁହିଁ

କାରଣ ଦେବ ମୃତ୍ୟୁ  କାଳେ ଅଳି କରେ ଗୋସାଇଁ   ।୨।

 

କାଳେ କାଳେ ତୁମ୍ଭେ ପତିତ ଜନଙ୍କର ଠାକୁର

କରିଛି ସେ ପାଇଁ ଆଶ୍ରୟ ନ କରିବ ଅନ୍ତର   ।୩।

 

କରରେ ହିରଣ୍ୟ ବିଦାରି ଥିଲ ଭକତ ପାଇଁ

କରି  ଟାଣ ପଣ ରାବଣ ମଲା ସବଂଶେ ସେହି   ।୪।

 

କଂଶକୁ ବିନାଶ କରିଣ ମହୀ କଲ ଉଶ୍ଵାସ

କେବଳ ଏଇଥି ପାଇଁକି ମର୍ତ୍ତ୍ୟେ ହୁଅ ପ୍ରକାଶ   ।୫।

 

କେତେ କେତେ ରୂପ ଧରିଛ ଦୁଷ୍ଟଜନ ସଂହାରେ

କଷ୍ଟରୁ ସଜ୍ଜନ ତାରିଛ ଧର୍ମ ରକ୍ଷା ଇଛାରେ   ।୬।

 

କଳିର କରାଳ କବଳୁ ରଖ କମଳା ପତି

କଳିଙ୍କି ଅବତାର ହୁଅ ଭକ୍ତେ ଚାହିଁ ଅଛନ୍ତି   ।୭।

 

କଷଣ ବହୁତ ପଡୁଛି ସହି ନୋହୁଛି ଆଉ

କାଳ ରାହୁ ପ୍ରାୟ ଗ୍ରାସିଣ ଯାଏ ସେ ଚାହୁଁ ଚାହୁଁ ।୮।

 

କେବଳ ତୁମ୍ଭେ ହିଁ ଭରସା ଅନ୍ୟ ନାହିଁ ତ କେହୁ

କହେ ବଇଆ ବ୍ରହ୍ମଚାରୀ ବିଚାର ମହାବାହୁ   ।୯।

(ଖ)

ଖିଆଲ ରହୁନି ତୁମ୍ଭର ନାମ ଗୁଣ ଯଶରେ

ଖେଳୁଥାଏ ସଦା ସର୍ବଦା  ବିଷୟ ଲାଳସାରେ   ।୧।

 

କ୍ଷୀଣ ମ୍ଲାନ ମନ ଯାହାକୁ ମଣୁଥାଇ ଆନନ୍ଦ

ଖୁର ଧାର ପରି ସେ କାଟେ ବଢ଼ାଇ ଦିଏ ଦ୍ଵନ୍ଦ୍ଵ   ।୨।

 

କ୍ଷୀର ନୀର ପରି ଅଟଇ ଅକପଟ ପୀରତୀ

ଖଟା କପଟ ଦେଲେ ତହିଁ ଦୁହେଁ ଅଲଗା  ହୋନ୍ତି   ।୩।

 

ଖିନ୍ନ ହେଲା ତନୁ ବୟସ ତେବେ କପଟ  ଆଶା

ଖଗପତି ଗତି ତୁମ୍ଭଠି ନ କଲି ଯା ଭରସା   ।୪।

 

ଖଟନ୍ତି ଯେ ପଦେ  ହରଷେ ଦେବ ସୁର ରମଣୀ

ଖଗ ବିହାରି  ହେ ମୁରାରି ସର୍ବ ଶୋଭାର ଖଣି   ।୫।

 

ଖମଣି ମଣ୍ଡଳୁ ଖସିଲେ ଗଙ୍ଗା ନଖ କୋଣରୁ

ଖଣ୍ଡିଲେ ମର୍ତ୍ତ୍ୟରେ ଅଘକୁ ସେ ଯେ କଳପତରୁ   ।୬।

 

ଖାସା ଧର୍ମ କଳି କାଳରେ  ତୁମ ନାମ ଭଜନ

ଖିଲାପ ମୋହର ତହିଁରେ ଶୁଣ ମଧୁସୂଦନ   ।୭।

 

ଖର୍ବ ହୋଇ ସୁରତରୁକୁ ମୁହିଁ ବଢ଼ାଏ ହାତ,

ଖସି ପଡ଼ିବା ସାର ହେବ କାହୁଁ ମିଳିବ ହିତ   ।୮।

 

ଖଟା ତୁମ ପଦ ସେବାରେ ମଣିଣ ନିଜ ଦାସ

ଖଇଚା ନ କର ବୈକୁଣ୍ଠେ ଲୀଳା କର ପ୍ରକାଶ ।୯।

(ଗ)

ଗୁରୁ ସାଧୁଙ୍କର ଶ୍ରୀପଦେ ସେବା ନ ପାରେ କରି

ଗାଢ଼େ  ମଜ୍ଜି ବିଷୟା ବିଷେ ସଦା ହେଉଛି ଘାରି   ।୧।

 

ଗରଳ ପିଉଛି ଅମୃତ ମଣି କଳିର ବିଷ

ଗାରୁଡ଼ି ମନ୍ତର ତୋ ନାମ କରୁ ନାହିଁ ଅଭ୍ୟାସ   ।୨।

 

ଗତି ମୁକ୍ତି କେହ୍ନେ ମିଳିବ ଘୋର ମାୟା ବନ୍ଧନୁ

ଗୋପନେ ବସି କରେ ଚିନ୍ତା ଅଶ୍ରୁ ବହେ ନୟନୁ   ।୩।

 

ଗୋବର୍ଦ୍ଧନ ଧାରୀ ହେ କୃଷ୍ଣ ଜାଣେ ନାହିଁ ତୁମ୍ଭଙ୍କୁ

ଗୁରୁ ରୂପେ ତୁମ୍ଭେ ବିହର ପତିତେ ତାରିବାକୁ   ।୪।

 

ଗୁପତେ ସବୁରି ଅନ୍ତରେ ତୁମ୍ଭେ କରିଛ ବାସ

ଗୁରୁ ଅଙ୍ଗେ  କର ବିହାର ଲୀଳା କରି ପ୍ରକାଶ   ।୫।

 

ଗହନ ବୁଝିବା ତୁମ୍ଭର ଲୀଳା –ଧୃତ ଶରୀର

ଗମି ନ ପାରି ଦେବତା ଏ ହୋଇଛନ୍ତି ଅସ୍ଥିର   ।୬।

 

ଗୋପାଙ୍ଗନାମାନେ ଅଟନ୍ତି ତୋହର ଶ୍ରେଷ୍ଠ ଭକ୍ତ

ଗାଳିକୁ ତାଙ୍କର ମଣିଲୁ ସ୍ଵାଦୁ ଜିଣି ଅମୃତ   ।୭।

 

ଗଡାଇଲୁ ତାଙ୍କ ପାଦର ତଳେ ମୁକ୍ତି ଭଣ୍ଡାର

ଗରବ ଗୁଞ୍ଜିଛୁ ତାଙ୍କରି କରିବାକୁ ଉଦ୍ଧାର   ।୮।

 

ଗଲାଣି ମୋ ବଳ ବୟସ କିସ ହେବ ସାଧନ

ଗଲା ବେଳେ ଜୀବ ବୈକୁଣ୍ଠେ ଦେଖା ମୁଖ ଲାବଣ୍ୟ   ।୯।

(ଘ)

ଘୋର କଳିଯୁଗ ମୂଳଟି ଗଢ଼ା ଖାଲି ମଳରେ

ଘନ ଘନ ମନ ମୀନ ମୋ ମଜ୍ଜେ ପାପ ସାଗରେ   ।୧।

 

ଘନ ଘନ ମାୟା ବଉଦ ଅନ୍ତରେ ଘୋଟି ଅଛି

ଘଟଣ ଶ୍ରୀମୁଖ ଚନ୍ଦ୍ରମା  ତେଣୁ ଦୃଶ୍ୟ ନୋହୁଛି   ।୨।

 

ଘଡ଼ି ଘଡ଼ି ଇନ୍ଦ୍ରିୟ ମାନେ  ବସି ସାଧନ୍ତି ଦାଉ

ଘୋଟି ଆସେ ଘନ ଅନ୍ଧାର ପଥ ନ ଦିଶେ ଆଉ   ।୩।

 

ଘୋର ସଙ୍କଟରୁ ରଖିଛ ଗୋପ ଇନ୍ଦ୍ର କୋପରୁ

ଘଉଡ଼ି ନ ପାର ଇନ୍ଦ୍ରିଙ୍କୁ ଟେକି କୃପା ସୁମେରୁ   ।୪।

 

ଘରେ ମୋର ବର ରହିଛି ଦିନେ ନ ସେବେ ତାଙ୍କୁ

ଘରେ ଘରେ ବୁଲି ଖୋଜଇ ଥରେ ଭେଟ ହେବାକୁ   ।୫।

 

ଘୋଳା ବିନ୍ଧା ରୋଗ ହେଲାଣି ଗତ ଆଗତ ଶ୍ରମେ

ଘୋର ତୃଷ୍ଣା  ନିଏ ପରାଣ ରଖ ଅମୃତ ଦାନେ   ।୬।

 

ଘନାମୃତ ନାମ ତୋହର ଉଦେ କରାଇ ହୃଦେ

ଘୋର ପାପାଗ୍ନିରେ ବରଷ ଜଣାଏ ପ୍ରଭୁ ଖେଦେ   ।୭।

 

ଘୃଣା କରନାହିଁ ପ୍ରଭୁ ହେ ମୁହିଁ ଘୋର ପତିତ

ଘୁଞ୍ଚାଏ ପତିତପାବନ ଆଶେଷ ମୋ ଦୁରିତ   ।୮।

 

ଘଟାନ୍ତର ଘଟା ମୋହର କରି କରୁଣା ଲେଶ

ଘନ ଘନ ଡ଼ାକେ ବୈକୁଣ୍ଠ ରଖ ହେ ଜଗଦୀଶ   ।୯।

(ଙ)

ନୀଳଗିରିବାସୀ ମଣିମା ଜୟ ଜଗତନାଥ

ନିକୁଞ୍ଜବନ ଅଧୀଶ୍ଵର ଜୟ ଯଶୋଦା ସୂତ   ।୧।

 

ନିରବଧି ଭକ୍ତି କରନ୍ତି ତବ ନାମରେ ସ୍ତୁତି

ନେତ୍ରେ ଦରଶନ କରିଣ ନମସ୍କାର ଢ଼ାଳନ୍ତି ।୨।

 

ନବୀନ ନୀରଦ ସୁନ୍ଦର ନୀଳ ମାଧବ ତନୁ

ନିତି ନୁଆ ପରି ଦିଶଇ  ଭୁଲି ନହୁଏ ମନୁ   ।୩।

 

ନବ କଳେବର ଧରୁଛ ପୁଣ ଭକ୍ତଙ୍କ ପାଇଁ

ନନ୍ଦିଘୋଷେ ବିଜେ ହେଉଛ ବଡ଼ ଦାଣ୍ଡରେ ଯାଇ   ।୪।

 

ନାମ ଦେଇଛନ୍ତି ତୁମ୍ଭଙ୍କୁ ଭକ୍ତେ ନାନା ପ୍ରକାର

ନୀଚ ପତିତଙ୍କୁ ତାରିବା ଶ୍ରେଷ୍ଠ କାମ ତୁମର   ।୫।

 

ନାହିଁ ଜ୍ଞାନ ଧ୍ୟାନ ଭଜନ ନ ଜାଣଇ ସୁକର୍ମ

ନେବ କି ନା ମୋତେ ଉଦ୍ଧରି କୁହ ପୁରୁଷୋତ୍ତମ   ।୬।

 

ନାମ ମାତ୍ର ମୁଖେ ଗାଉଛି ଆନ ସବୁ ଉପେକ୍ଷି

ନିୟମ ନୀତି ନିଷ୍ଠାମାନ , ମନେ ନାହିଁତ ରଖି   ।୭।

 

ନଟବର ଠାଣି ମୁରତି ନାଚୁ ମୋର ନୟନେ

ନିବେଦନ କରେ ଏତିକି ମାତ୍ର ଛନ୍ଦା ଚରଣେ   ।୮।

 

ନ ହେବ ନିର୍ଦ୍ଦୟ ପ୍ରଭୁ ହେ ହୀନ ଜନ ପ୍ରତି

ନେବ ଅନ୍ତକାଳେ ନିଶ୍ଚୟ ବଇକୁଣ୍ଠ ପ୍ରଣତି   ।୯।

(ଚ)

ଚକ୍ରଧର ଚକାନୟନ ଶୁଣ ମୋର ଜଣାଣ

ଚିର ଅପରାଧୀ ବୋଲି ମୁଁ ସଦା ଆକୁଳ ପ୍ରାଣ   ।୧।

 

ଚିତ୍ତ ସ୍ଥିର ନୋହେ ମୋହର ସଦାବେଳେ ଅସ୍ଥିର

ଚନ୍ଦ୍ରମାବଦନ ଧ୍ୟାନରେ କାହିଁ ଦିଶିବ ତୋର   ।୨।

 

ଚାତକ ପରି ମୁଁ ନ ଚାହେଁ ତୋର ପ୍ରେମ ବରଷା

ଚିଦାନନ୍ଦ ପ୍ରେମ ଲାଭରେ କେହ୍ନେ କରିବି ଆଶା   ।୩।

 

ଚକଟନ୍ତି ହୃଦ ପଦ୍ମକୁ  ଦୁଃଖ କରାଏ ମିଳି

ଚଞ୍ଚଳ ନୀଳାଦ୍ରି ସିଂହ ହେ ତାଙ୍କୁ ପକାଅ ଦଳି   ।୪।

 

ଚଗଲା ମନଟା ମୋହର ନ କରେ ସାଧୁ ସଙ୍ଗ

ଚିପୁଡି ପିଉଛି ବିଷୟାବିଷ ହୋଇ ସଜାଗ   ।୫।

 

ଚନ୍ଦ୍ରରୁ ଶୀତଳ ମଧୁର ତୋର ନାମ ହେ ହରି

ଚକିତେ ନ ଭଜେ ମୋ ମନ କେହ୍ନେ ହୋଇବି ପାରି   ।୬।

 

ଚନ୍ଦନ ଚର୍ଚ୍ଚିତ ଅଙ୍ଗରେ ପୀତବସନ ଶୋଭା

ଚାହଁ ନାହିଁ ମୋର ନୟନ ସେହି ଲାବଣ୍ୟ ପ୍ରଭା   ।୭।

 

ଚାହୁଁ ଚାହୁଁ ଦିନ ସରିଲା ରାତ୍ରି ହେଲା ନିକଟ

ଚିକ୍କଣ କାଳିଆ ମୂରତି ହୃଦେ ନୋହେ ପ୍ରକଟ   ।୮।

 

ଚାରି ସାଧନ ଲୋଡ଼ା ନାହିଁ ଲୋଡ଼ା କରୁଣା ତୋର

ଚାହଁ କୃପା କରି ବୈକୁଣ୍ଠେ ତୁଟୁ ଦୁର୍ଗତି ଘୋର   ।୯।

 

(ଛ)

ଛନ୍ଦାଚରଣ ବନ୍ଧା ରଖ ତୁମ ଚରଣେ ମନ

ଛଳନା ନ କରି ପ୍ରଭୁ ହେ କର ଅଭୟ ଦାନ   ।୧।

ଛାତି ମୋର ହୁଏ କରତି ଜାଗତିକ ବ୍ୟାପାରେ

ଛଳ ତେଜି ପ୍ରୀତି ନ କରେ ତୁମ୍ଭ ପଦ୍ମ ପୟରେ   ।୨।

ଛାର ମନ ମୋର ଭ୍ରମର ହୋଇ ତୋ ପଦ ମଧୁ

ଛଟକେ ଚୁମ୍ବୁ ହେ ଶ୍ରୀପତି ସଙ୍ଗ ଘେନିଣ ସାଧୁ   ।୩।

ଛଅଖଣ୍ଡ କାଠ ମୋ ପାଇଁ ଲୋଡିବା ବେଳ ହେଲା

ଛଳ ତେଜି ମନ ତୋ ସଙ୍ଗେ ଦିନେଭାବ ନକଲା   ।୪।

ଛାଡିଣ ମଧୁର ତୋ ନାମ ରସନା ମୋ ଗାଉଛି

ଛବିଳ ଦେବଙ୍କ ଚରିତେ ସ୍ଵର୍ଗ ନର୍କ ପାଉଛି   ।୫।

ଛାୟା ଛବି ପ୍ରାୟ ସରଗ ନରକ ଏକାପରି

ଛାର ସ୍ଵର୍ଗ ସୁଖେ ମୋ ମନ ପ୍ରଭୁ ନ ହେଉ ଘାରି   ।୬।

ଛଳ ଛଳ ହୋଇ ନୟନୁ ପଡୁ ଲୋତକ ଝରି

ଛାଇ ଯାଉ ପ୍ରେମ ଭକତି ତୋର ନାମ ସୁମରି   ।୭।

 

ଛିଡି ଯାଉ ଭବ ବନ୍ଧନ ତୋର କୃପା ପବନେ

ଛଟକେ ତ୍ରିଭଙ୍ଗ ମୂରତି ଦିଶିଯାଉ ନୟନେ   ।୮।

 

ଛାଡିଗଲା ବେଳେ ପରାଣ ଜାଗ ମୋର ମନରେ

ଛନ୍ଦା ଚରଣେ ଉଭାହୁଅ ବଇକୁଣ୍ଠ ଆଗରେ   ।୯।

(ଜ)

ଜଗତ ମଧ୍ୟରେ ମୁଁ ଜଣେ ଯେବେ ମୋ ବନ୍ଧୁ ନୁହଁ

ଜଗନ୍ନାଥ ନାମ ତୁମର କିମ୍ପା ଡାକିବି କୁହ   ।୧।

 

ଜାତି କୁଳ ଧନ ବିଦ୍ୟା ବା ଆଚାର ଲୋଡା ନାହିଁ

ଜାଣିବା ଜନ କି ତୁମ୍ଭର କୃପା ଅଛନ୍ତି ପାଇ   ।୨।

 

ଯିଏ ପାଇଅଛି ତୁମକୁ ସେହି କହେ କରୁଣା

ଜାଣିବା ପାଇଁ ବିଦ୍ୟା ବୁଦ୍ଧି ସବୁ ଅଟଇ ଊଣା   ।୩।

 

ଜାଣୁ ବା ନ ଜାଣୁ ହରିଙ୍କୁ ଯିଏ ଭଜଇ ନାମ

ଜୀବନ କରଇ ସାର୍ଥକ ତାକୁ ନ ଦଣ୍ଡେ ଯମ   ।୪।

 

ଜୀବେ ଦୟା , ନାମେ ପୀରତି ଯିଏ ପାରିଛି କରି

ଜଗତକରତା ତା’ ପଛେ ଧାଅଁ ଦିବା ସର୍ବରୀ   ।୫।

 

ଜାଣି ନ ଜାଣିଲା ପରାଏ କରୁଥାଏ କରମ

ଜଗିରହିଛନ୍ତି ରିପୁଏ ସଦା କରାନ୍ତି ଭ୍ରମ   ।୬।

 

ଯମ ଜାତନାକୁ ଡ଼ର ମୋ ଜାଗେ କ୍ଷଣେ ମନରେ

ଯତନେ ନ ହୁଏ ସେବକ ତୁମ ଛନ୍ଦା ପୟରେ   ।୭।

 

ଯିବ ଏ ଜୀବନ ନିଶ୍ଚୟ ଦିନେ ପିଣ୍ଡୁ ବାହାରି

ଯାଇ ରହିବ କେଉଁ ସ୍ଥାନେ ତୁମେ ଜାଣ ଶ୍ରୀହରି   ।୮।

 

ଯହିଁ ରଖ ନେଇ ପ୍ରଭୁ ହେ ମୋର ନାହିଁ ଶୋଚନା

ଜପି ତୁମ୍ଭ ନାମ ବୈକୁଣ୍ଠ ତେଜୁ ସର୍ବ ବାସନା   ।୯।

(ଝ)

ଝଲସାଇ ଦିଅ ହେ ନାଥ ମୋର ଅନ୍ତରେ ଥାଇ

ଝରା ନାମାମୃତ ଶ୍ରୀପାଦୁଁ ପାପ ଯାଉ ମୋ ଧୋଇ   ।୧।

 

ଝୋଲା ମାଇଲାଣି ତଥାପି ମନେ ପ୍ରବଳ ଆଶା

ଝରାଇବ ହୃଦ ମରୁରେ ନଦୀ ଏହି ଭରସା   ।୨।

 

ଝଡି ଯିବ ଆଶା କଳିକା ଭାଙ୍ଗି ମନର ବଳ

ଝିମିଟେ ଫୁଟିବ ପ୍ରେମର ପୁଷ୍ପ ହେ ଆଦିମୂଳ   ।୩।

 

ଝଗଡା କରି ନ ପାରିବି ପ୍ରଭୁ ଇନ୍ଦ୍ରିୟ ସଙ୍ଗେ

ଝୁଲା କରି ତୁମ ନାମକୁ ଗାଉଥିବି ପ୍ରସଙ୍ଗେ   ।୪।

 

ଝୁରି ଝୁରି ତବ ମୂରତି ସାଜି ଭିକାରି ବେଶ

ଝାଳ ନାଳ ହୋଇ ନାଚିବା ପାଇଁ ମୋର ମୁହାଁସ   ।୫।

 

ଝଗଡ଼ା କରିଣ ରିପୁଏ ବାଟକରନ୍ତି ରୁଦ୍ଧ

ଝିମିଟେ କରୁଣା ସାଗର ତାଙ୍କ ଗତିକୁ ରୋଧ   ।୬।

 

ଝୁମୁ ଝୁମୁ ତୋର ନୂପୁର ଶୁଭୁ ମୋର ଶ୍ରୁତିକି

ଝଲସୁ ମୋ ମନ ପରାଣ ଲଭି ପ୍ରେମ ଭକ୍ତିକି   ।୭।

 

ଝଟକ ବିନ୍ଦୁ ପ୍ରାୟ ଜାଗୁ ତୋର ମୂରତି ଚିତ୍ତେ

ଝଳା ସୁନା ପରି ବିରାଜ ମାୟା ଏଡ଼ି ତୁରିତେ   ।୮।

 

ଝଗଡ଼ା କଥା ଏ ନୁହଁଇ ଦାସର ନିବେଦନ

ଝସକେତନ ପିତା ଶୁଣ ବଇକୁଣ୍ଠ ଜଣାଣ   ।୯।

(ଞ)

ନୀଳମାଧବ ମୋ ମିନତି ଶୁଣିବା ହେଉ ବାରେ

ନୀଳ କନ୍ଦରେ ବସିଅଛ ପତିତ ତାରିବାରେ   ।୧।

 

ନିରକ୍ଷ ହେଲାଣି ପତିତ ପଡ଼ୁ ନାହିଁ କି ଜଣା

ନିବିଡ଼ ଅନ୍ଧାରେ ଘୂରାଇ ବାରେ କର କରୁଣା   ।୨।

 

ନିଦରେ ଶୋଇଲ ଶୋଇଲେ ଭକତ ମାନେ ପୁଣ

ନିଷ୍ଠୁର କଳି ଦଳି ଦେଲା ଦେଇ ବହୁ କଷଣ   ।୩।

 

ନିଦ୍ରା ତେଜି ପ୍ରଭୁ ଉଠାଅ ଭକତେ ଗଣେ ତୋର

ନିଶା ଖିଆ କଳି ଦର୍ପକୁ ନିଜ ପଦରେ ଚୂର   ।୪।

 

ନିତ୍ୟ ଆନନ୍ଦ ପରିପୂର୍ଣ୍ଣ ସର୍ବେ ଦିଅ ଆନନ୍ଦ

ନମାମି ନମାମି ଶ୍ରୀପଦେ ତୁମ ପରମାନନ୍ଦ   ।୫।

 

ନିବିଡ ନିରଦ ଘୋଟିଛି ମୋର ଅନ୍ତରେ ଆସି

ନିଃଶ୍ଵାସ ପବନେ ଉଡ଼ାଅ ହୃଦେ ପ୍ରେମ ବରଷି   ।୬।

 

ନିମଜ୍ଜି ତୋ ପ୍ରେମ ସାଗରେ ନାବ ନାମରେ ବସି

ନିଟଳିବି ଗୁରୁ କାହାରି ପାଦ ପଦ୍ମରେ ବସି   ।୭।

 

ନଲୋଡ଼ଇ ଧନ ରତନ ଅଷ୍ଠ ଐଶ୍ୱର୍ଯ୍ୟ ଆଦି

ନମୁଥିବି ତୁମ ଚରଣେ କହି ଜୟ ଅନାଦି   ।୮।

 

ନିଗଡ଼ ବେଳରେ ତୁମର ଥରେ ମିଳିବ ଦେଖା

ନିସ୍ତରି ଯିବ ବଇକୁଣ୍ଠ ମୋର ଏତିକି ଭିକ୍ଷା   ।୯।

(ଟ)

ଟାଣପଣ କରି  ବସିଛି  କୃପା  କରିବ ବୋଲି

ଟିକିଏ ସଦୟ ନୋହିଣ ଦୂରେ ଦେଉଛ  ଠେଲି   ।୧।

 

ଟୋପି ଚନ୍ଦନରେ ଗୋପୀଏ ସଜାଇଥିବା ମୁଖ

ଟିକିଏ ଦେଖାଅ ଚନ୍ଦ୍ରିକା ଖୋସା ଠାଣି ଝଲକ   ।୨।

 

ଟାଣ କରି ବଜା ବଂଇଶୀ  ଶୁଭୁ ମୋର ଶ୍ରୁତିକି

ଟାଣିନିଅ ମୋତେ ସେ ସ୍ଵରେ ନିତ୍ୟ ରାସ କତିକି   ।୩।

 

ଟାକି ଟୋକା କାଳୁ ବସିଛି ଦିନ ସରିଲା ଆସି

ଟୋପାଏ କୃପା ନ ଝରିଲା ଦୁଃଖ ଦେଉଛି  ଗ୍ରାସି   ।୪।

 

ଟିକି ଟିକି ତୁମ ପାଦର ମୃଦୁ ନୂପୁର ସ୍ଵନେ

ଟଳି ଯିବ ଦେହ ତାହା ମୁଁ ଦିନେ  ନ ଶୁଣେ  କର୍ଣ୍ଣେ   ।୫।

 

ଟାଙ୍ଗର  ଭୂମି  ହୃଦେ ମୋର   ପ୍ରେମ ବୀଜ କି ସତେ

ଟୋପା ଭକ୍ତି  ଜଳ ସିଞ୍ଚିଣ ଗଜାଇବ ଯୁକତେ   ।୬।

 

ଟଙ୍କଧର  ଯେଉଁ ନାମକୁ  ନିତ୍ୟେ  ଜପନ୍ତି ବସି

ଟଙ୍କ ଆମ୍ବିଳ ମଣି  ତାହା ଜିହ୍ନା  ନାହିଁ  ପରଷି   ।୭।

 

ଟାଣ ପଣ  ମାତ୍ର  ମୋହର  ମୁହିଁ ଯାର ଆଶ୍ରିତ

ଟେକି ନେବେ  ମୋତେ ସେ ଗୁରୁ ଜାଣି  ଅବାଧ ସୂତ   ।୮।

 

ଟଳି  ଗଲେ  ଯାଉ ମୋ ଦେହ ନାହିଁ ତିଳେ ଶୋଚନା

ଟାଣ କରି ତୋତେ ଧରିଛି  କ୍ଷୁଦ୍ର ବୈକୁଣ୍ଠ  ସିନା   ।୯।

(ଠ)

ଠକ ମଣି  ଠକି  ଦିଅନା ମୋତେ ହେ  ରାଧାଧବ

ଠାବ ଦିଅ ରାସ ମଣ୍ଡଳେ  ଦେଇ  ସେବା  ମାଧବ   ।୧।

 

ଠିଆ ହୋଇଥିବି ପାଖରେ କରେ ଧରି ଚାମର

ଠଉରାଇ ବେଳ ଶ୍ରୀ  ଅଙ୍ଗେ ଦେବି ଚନ୍ଦନ ଗାର   ।୨।

 

ଠାରିଦେଲେ ଶ୍ରୀମତୀଙ୍କୁ  ମୁଁ ପାଶେ ଆଣିବି  ଡାକି

ଠଣ ସୁନ୍ଦର  ମୁଖ ଦେଖି ମନେ ହୋଇବି ସୁଖୀ   ।୩।

 

ଠୋ କରି ଛିଡ଼ିବ  ମୋହର  ଭବ  ବନ୍ଧନ ଫାସ

ଠାଣି ଚାହିଁ ରିପୁଗଣେ ମୋ  ହେବେ  ଶ୍ରୀପଦେ ଦାସ   ।୪।

 

ଠିଆ  ହୁଅ କ୍ଷଣେ ମୋ ନେତ୍ର ଆଗେ ତ୍ରିଭଙ୍ଗ ଛନ୍ଦେ

ଠୁଳ କରି  ରୂପ ମାଧୁରୀ ଜୀବ  ଯାଉ ଆନନ୍ଦେ   ।୫।

 

ଠିକଠ ବର୍ତ୍ତୁଳ ଆନନ ଜାଗୁ ମାନସେ ମୋର

ଠାବେ ଠାବେ ଶୁଭୁ ଶ୍ରୁତିକି ତୋର  ବଇଁଶୀ ସ୍ଵର   ।୬।

 

ଠାବ ଯାଇ  କାହିଁ  ପାଇବି ମୋର ଶୋଚନା ନାହିଁ

ଠିକ ବେଳେ ଯେବେ ଦିଶିବ ତୁମେ କଳା  କହ୍ନାଇ   ।୭।

 

ଠକ ଠକ  ହୋଇ ଭାଙ୍ଗିବ ସର୍ବ କର୍ମ ଶାଙ୍କୁଳି

ଠକି ଦିଅ ନାହିଁ  ପ୍ର ଭୁ ହେ ଘେନ ଦାସର ଅଳି   ।୮।

 

ଠୁଙ୍କି ଦିଅ ନାହିଁ କାରାରେ  ମୋତେ କର୍ମ ବନ୍ଧନେ

ଠିଆ ହୋଇ ବଇକୁଣ୍ଠିଆ ଧ୍ୟାୟେ ରଙ୍ଗା ଚରଣେ   ।୯।

(ଡ)

ଡର  ଭୟ  ତେଜି କରିନି ତୁମ ନାମେ ପୀରତି

ଡ଼ରାଉଛି ଜନ୍ତୁପତି ମୋ ହୃଦେ  ଜାଗଇ ଭୀତି   ।୧।

 

ଡ଼ାକୁ  ପରି  ଦୁଷ୍ଟ ରିପୁଏ ଦେଉଛନ୍ତି କଷଣ

ଡ଼କା ପାରି ଥକା ହେଲିଣି ଶୁଣ ହେ  ନାରାୟଣ   ।୨।

 

ଡ଼ର ଭୟ  ତେଜି କରିବି ଶ୍ୟାମ ନାମେ  ପୀରତି

ଡ଼ରିଯିବି ଜନ୍ତୁପତି ମୁଁ କଲେ ସାଧୁରେ ରତି   ।୩।

 

ଡାଳ  ପତ୍ର ପୁଷ୍ପ ଫଳରେ ଭରା  ବିଷୟ ତରୁ

ଡଙ୍କ ମୋଡି ପଡ଼େ ତା’ ତଳେ ଭକତି  ଲତା ଚାରୁ   ।୪।

 

ଡ଼ିଣ୍ଡିମ ବଜାଇ ମାନସ-ରୋଗେ ଆସନ୍ତି ମାଡି

ଡାକତର ଭବ ରୋଗର ଗୁରୁ ପାଦରେ ପଡ଼ି   ।୫।

 

ଡରି  ମାଗିଥିଲି ଔଷଧ ଗୁରୁ ଦେଲେ ବତାଇ

ଡିଙ୍ଗର ଶ୍ରଦ୍ଧା ଅନୁପାନେ ତାହା ଭକ୍ଷିବା ପାଇଁ   ।୬।

 

ଡମ୍ୱର* ଦେଖାଇ ତାହାକୁ ନ କରିଲି  ମୁଁ ପାନ (*ଆଡମ୍ବର)

ଡମର* ବେଳରେ ଯମର  ସାହା କେ ଭଗବାନ (*ଆକ୍ରମଣ)    ।୭।

 

ଡହଡ଼ ବିଷୟା ବିଷରେ ସଦା ହୋଇ ପୀଡିତ

ଡାକୁଅଛି ଗୁରୁ ଗୋବିନ୍ଦ ମୋତେ କର  ମୁକତ   ।୮।

 

ଡର  ଡରାଇବା ବେଳରେ  ଆଗେ ହୋଇଣ  ଉଭା

ଡାକି ଦେଖାଇବ ବୈକୁଣ୍ଠେ ତୁମ ନାମରେ ପ୍ରଭା   ।୯।

 

(ଢ)

ଢମପଣ  ସିନା ବାହାରେ ଅନ୍ତରେ  ଡ଼ରି  ମରେ

ଢକା ବଜାଇ ବଡ଼ ବୋଲି ସଦା ମୁଁ କହିବୁଲେ   ।୧।

ଢଳ ଢଳ ହୁଏ ଅନ୍ତର  ଢମପଣ ଦେଖାଇ

ଢାଳେ ଢାଳି  ଚାହିଁ କୃପାରେ  ଢମ  ଯାଉ ମୋ ଧୋଇ   ।୨।

ଢମ  କରି  କଂସ ବିନାଶ ଜାଣି  ନ ତେଜେ  ଢମ

ଢଳିଲାଣି  ମୋହ ଆଡକୁ ଅତି ରାଗରେ ଯମ   ।୩।

ଢେଉ ପରି  ମାଡ଼ି  ଆସୁଛି  ଖାଲି ଦୁଃଖ ଲହରି

ଢାଉ  ହୋଇଲାଣି ଶରୀର କୃପା କର ମୁରାରି   ।୪।

ଢଳି ଢଳି  ଆସ ତ୍ରିଭଙ୍ଗ  ଛନ୍ଦେ ମୁରଲୀଧାରୀ

ଢଙ୍ଗ ଦେଖି ପୁରୁ ନୟନ ତୁମ ଶୋଭା ମାଧୁରୀ   ।୫।

ଢଳି ଠିଆ ହେଲେ  ମୋ  ଆଗେ ମୋର ପୂରିବ  ଆଶା

ଢିଲା ହେବ  ମାୟା ବନ୍ଧନ ଗୁରୁ ପଦେ ଭରସା   ।୬।

ଢାଳିବ କରୁଣା ବୋଲି ମୁଁ ଲୋଭୀ  ହୋଇଛି ସାଇଁ

ଢାଙ୍କୁଣି ନ ଦିଅ  କୃପାରେ  ପ୍ରଭୁ କୃପଣ  ନୋହି   ।୭।

 

ଢେଉ ହେଉ ଯେଡେ ପ୍ରବଳ ଗୁରୁ ଧୀର କାଣ୍ଡାରି

ଢିଲା ନ  କରିଣ କୃପାରେ ମୋତେ  କରିବେ ପାରି   ।୮।

 

ଢକା ବଜାଇଣ ବଇୟା କହେ ଶୁଣ ଶ୍ରୀପତି

ଢଳି ଠିଆ ହେବ ମରଣେ  ନ ଚାହେଁ ଗତି ମୁକ୍ତି   ।୯।

(ଣ)

ଅଗତି ଗତି  ରାଧାଧବ ବାରେ ମିନତି ଶୁଣ

ଅପରାଧୀ ବୋଲି କର୍ଣ୍ଣକୁ କର ନାହିଁ ପାଷାଣ   ।୧।

 

ଅଗୁଣ ସଗୁଣ ହୋଇଣ  ଗୁରୁ ରୂପେ  ବିହର

ଅକ୍ଲେଶେ କୃପାରେ  ଗୋବିନ୍ଦ ଦୀନ ଜନେ ଉଦ୍ଧର   ।୨।

 

ଅକଳଙ୍କ ଚନ୍ଦ୍ର ପରାଏ ମୋର ହୃଦରେ ବସି

ଅନ୍ତର ଘୋର ଅନ୍ଧକାର ପ୍ରଭୁ ପକାଅ ନାଶି   ।୩।

 

ଅଜପା ମନ୍ତର ଜପରେ ମୋର ରଖାଅ ଧ୍ୟାନ

ଅନନ୍ୟ ଭକତି ଦାନରେ ସାର୍ଥକ କର ପ୍ରାଣ   ।୪।

 

ଅଣଆୟତ୍ତ ମୁଁ ହେଲିଣି ଦୁଷ୍ଟ ରିପୁଙ୍କ  ଡ଼ରେ

ଅଘନାଶନ ଅଘ ନାଶି ଗଣା  କର ଭକ୍ତରେ   ।୫।

 

ଅଛି ଯେତେ ଦିନ ମହୀରେ ଧରି ନାମ  ତୁମ୍ଭର

ଅଶେଷ କର୍ମକୁ ସମର୍ପି ଦେବି ତୁମ ପୟର   ।୬।

 

ଅଜାଡ଼ି ଦେଉଛ ଯାହାକୁ  ସେବା ଦେଇଛି କିସ

ଅଦ୍ୟାବଧି ଶୁଣି ନାହିଁତ କେବେ ଏହି  ସନ୍ଦେଶ   ।୭।

 

ଅଶେଷ ସାଧନ ସିଦ୍ଧିରେ  ମୋର ନବଳୁ ମନ

ଅଜେୟ କର ବୋଲି ମୁହିଁ ନ ମାଗେ  ବରଦାନ   ।୮।

 

ଅନ୍ତରଯାମୀଙ୍କୁ ଅନ୍ତର କରୁଛି  ସମର୍ପଣ

ଅଳି ଘେନି  ବଇକୁଣ୍ଠକୁ ଅନ୍ତେ ଦେବ ଶରଣ   ।୯।

(ତ)

ତାପିତ ତୃଷିତ ପରାଣ ମୋର ଗତାଗତରେ

ତୃଷା ନିବାର  ନାମାମୃତ  ଦେଇ ମୋର  ତୃଣ୍ଡରେ   ।୧।

 

ତାପ ନିବାରଣ କରିବ ଦେଇ ଶ୍ରୀପଦ ଛାୟା

ତୁଟିଯିବ ମାୟା ବନ୍ଧନ  ଶୁଦ୍ଧ କରିଣ କାୟା   ।୨।

 

ତପନ ସମାନ ମୋ ହୃଦେ ଜାଗ  ପ୍ରେମ ମୂରତି

ତରକି ଚଳନ୍ତୁ ରିପୁଏ କୁଷ୍ଣେ ବହନ୍ତୁ  ପ୍ରୀତି   ।୩।

 

ତଡ଼ିତ ଆଭାକୁ ପ୍ରକାଶି ଉଭା ହୁଅ ଆଗରେ

ତୃପ୍ତି ଲଭୁ  ମୋର ନୟନ ଦେଖି ଶ୍ରୀମୁଖ ବାରେ   ।୪।

 

ତୁଚ୍ଛ ଆନନ୍ଦରେ ମାତିଣ ସରିଗଲା ମୋ ଦିନ

ତପନ ତନୟା ତଟକୁ ନ ହୋଇଲି ଭାଜନ   ।୫।

 

ତରୁ  ହେବା ପାଇଁ ବିଧାତା ଚାହେଁ ଯେଉଁ ଠାବରେ

ତୋଷ କରି  ମୋର  ଅନ୍ତର ଦେଇ ସେ ରେଣୁ ଶିରେ   ।୬।

 

ତୁରିତେ  ବଜାଅ ସେ ବଂଶୀ ଯାହା ମୋହଇ  ଗୋପୀ

ତାଙ୍କ ସଙ୍ଗେ ମୋତେ ନଚାଅ କୁଞ୍ଜେ ରାହାସ ସ୍ଥାପି   ।୭।

 

ତୋର ମୋର ଭେଟ ହୋଇବ ସତେ ରାହାସ ଠାରେ

ତାନ  ମାନ  ଧରି ଗାଇବି ନିତ୍ୟ ରାସ  କୁଞ୍ଜରେ   ।୮।

 

ତୋହ କୃପା ଯେବେ ମିଳିବ ପୂରିବ ଅଭିଳାଷ

ତାପିତ  ନୋହିବ ବଇଆ ଭାବେ ନିଶି ଦିବସ   ।୯।

(ଥ)

ଥୟ ହେଉ ନାହିଁ ମୋ ମନ ତୁମ ପଦ୍ମ ପାଦରେ

ଥନ ଥନ ନେତ୍ରେ କେବଳ  ଚାହେଁ କୃପା ଆଶାରେ   ।୧।

 

ଥୋଡ଼ା କୃପା କଲେ  ସରି କି ଯିବ କୃପାସାଗର

ଥାଟ  ସହ ରିପୁ ସମୂହ  ନେଲେ  ମହତ ମୋର   ।୨।

 

ଥୋବରାଙ୍କ ପରି ସାଜିଛି ସିନା ମୁଁ  ସାଧୁବେଶ

ଥଟା ଟାପରା କରୁଥିବେ ଯମ ଗଣେ ବିଶେଷ   ।୩।

 

ଥବିର  ହେଲେ ହେଁ ନ ଯାଏ ଆଶାଭାଣ୍ଡ ମନରୁ

ଥାପିବାକୁ ତୁମ ମୂରତି ସ୍ଥାନ କାହିଁ ମୋ ଗୁରୁ ?    ।୪।

 

ଥୟ ହେବ ଯେବେ ମୋ ମନେ ତଡ଼ି ଦେଇଣ ଆଶା

ଥାଟ ସହ ରିପୁ ସମୂହେ ମୋତେ ହେବେ ଭରସା   ।୫।

 

ଥିର ଚିତ୍ତେ କର୍ଣ୍ଣ ଚାଖିବ ହରି ନାମ ଅମିୟ

ଥୟ  ହୋଇ ନେତ୍ର ଦେଖିବ ତୁମ ମୂର୍ତ୍ତିନିଚୟ   ।୬।

 

ଥେଣ୍ଟା ନୋହି  ଅଣ୍ଟା ଭିଡ଼ିବ  ଲୋଭ ତୁମ ଦର୍ଶନେ

ଥଙ୍ଗ ଥଙ୍ଗ ନୋହି ବଢିବ ଆଶା  ତୁମ ଲଭନେ   ।୭।

 

ଥଟ୍ଟା ପରିହାସେ ରସନା ଗାଇବ ତିମ୍ଭ ନାମ

ଥବିର ଶରୀରେ ରୋମାଞ୍ଚ ହେର ହେ ଘନଶ୍ୟାମ   ।୮।

 

ଥୟ କର ନେଇ ସେଠାରେ ଯହିଁ ଥିବ ତୋ ନାମ

ଥିବ ବଇକୁଣ୍ଠ ନିଶ୍ଚିନ୍ତେ ପାଇ ଭକତି ପ୍ରେମ   ।୯।

(ଦ)

ଦୁଃଖୀ ଦୁଃଖ ନାଶି ହୋଇଛ ତୁମେ ଦୁଃଖନାଶନ

ଦାମ୍ଭିକ ମନ  ମୋ  ବୁଝେନା କୃଷ୍ଣ ସର୍ବ କାରଣ   ।୧।

 

ଦୀନ ହୋଇଥିଲେ ମୋ  ବନ୍ଧୁ ତୁମେ ଥାଆନ୍ତ ହୋଇ

ଦୀନବନ୍ଧୁ ନାମ ତୁମର ତ୍ରିଜଗତ ଘୋଷଇ   ।୨।

 

ଦୁଃଖ ବହୁ  ଶାସ୍ତି ଦେଲାଣି ବସିଅଛ ଜାଳିବ

ଦୁଃଖାଗ୍ନି ତୁମ କରୁଣାକୁ କିବା ବଳାଇଯିବ   ।୩।

 

ଦୁଃଖ ସୁଖ ଦୁଇ  ଭାଇ  ଯେ ଏକ ସ୍ଥାନରେ ବାସ

ଦୁଃଖ  ଯାଏ ତାର  ପାଖକୁ ସୁଖେ ଯେ କରେ ଆଶ   ।୪।

 

ଦୁଃସହ ହେଲିଣି ଦୁଃଖରେ ଶୁଣ ରାଧାମାଧବ

ଦାରୁଣ  କଷଣ  ମୋହର  କେହ୍ନେ ଲାଘବ  ହେବ   ।୫।

 

ଦୟା,କ୍ଷମା,ସତ୍ୟ ,ଶାନ୍ତିରେ  ମୋତେ  କରାଅ ଧନୀ

ଦରିଦ୍ର ମୁଁ ଯେଣୁ ତୋ ଭାବେ  ମୋର ଚିତ୍ତ ରସୁନି   ।୬।

 

ଦଶାନନ ଦଶା ଘଟାନ୍ତି ଦଶ ଇନ୍ଦ୍ରିୟ  ମିଳି

ଦଶନେ ତୃଣ ଦେଇ କହେ ତାଙ୍କୁ ପକାଅ ବଳି   ।୭।

 

ଦିବସକୁ ରାତ୍ର ମଣଇ  ରାତ୍ର ନୋହେ ଦିବସ

ଦରିଆ ପାରି ହେବ ପାଇଁ ପଥ ନୁହଁଇ  ଦୃଶ୍ୟ   ।୮।

 

ଦେବ ଦରଶନ ପ୍ରଭୁ ହେ  ପ୍ରାଣ ପ୍ରୟାଣ  କାଳେ

ଦୁଃଖୀ ବଇକୁଣ୍ଠ ଜଣାଏ ରହି ମର୍ତ୍ତ୍ୟମଣ୍ଡଳେ   ।୯।

(ଧ)

ଧନୀ କରା ତୁମ୍ଭ ନାମରେ  କରି ପଦ ସେବକ

ଧନ ଗର୍ବ ଛାଡ଼ି ରହିବି  ଯେହ୍ନେ ରାହାସ ପାଖ   ।୧।

 

ଧଣ୍ଡାମାଳ ବୁହା ଠାକୁର   ଖଣ୍ଡା ନାହିଁକି କରେ

ଧରି ମାର ଦୁଷ୍ଟ ରିପୁଙ୍କୁ ଧାଉଁଛନ୍ତି ବେଗରେ   ।୨।

 

ଧଡ଼ ଧଡ଼  ମୋର ଅନ୍ତର  କଳି କରାଳ କୋପେ

ଧୂଆଁ କରିଦିଅ ତା’ କୋପ ଉଡି  ଯାଉ ସେ ତାପେ   ।୩।

 

ଧୂପ ଦୀପ ନାହିଁ ମୋହର ତୁମ ଆରତି ପାଇଁ

ଧୂପ ଦିଏ ମୋର  କାମନା ଘେନା କର ଗୋସାଇଁ   ।୪।

 

ଧୀର ଗଣେ ଥିର  ହେଲେଣି କଳି କଳୁଷ  ଘାତେ

ଧାଇଁ ଆସ ପ୍ରଭୁ ତୁରିତେ ସତ୍ୟ ସ୍ଥାପ ମରତେ   ।୫।

 

ଧରା ସରା ପ୍ରାୟ ମଣନ୍ତି ଏବେ ସକଳ ଜନେ

ଧୀର କରା ତାଙ୍କୁ, ଚଳନ୍ତୁ ସର୍ବେ ସତ୍ୟ ବଚନେ   ।୬।

 

ଧପା  ମାରି ପୁଣି ଖପାରେ କରନ୍ତି ଆକ୍ରମଣ

ଧଣ୍ଡାରେ ଖଣ୍ଡା ଧରି କେହି ନେଉ ଅଛନ୍ତି ପ୍ରାଣ   ।୭।

 

ଧନ ଜନ ବସ୍ତୁ ବିଶେଷ ନୁହଁଇ ନିରାପଦ

ଧୀର ଚିତ୍ତେ ଏହା ବିଚାର ତୁମେ କର ଗୋବିନ୍ଦ   ।୮।

 

ଧରଣୀରେ ମଥା ପାତିଣ କରୁଅଛି  ମିନତି

ଧର କଳଙ୍କି ଅବତାର ବଇକୁଣ୍ଠ ଆରତି   ।୯।

(ନ)

ନବୀନ ନୀରଦ  ନିନ୍ଦିତ ତୁମ ରୂପ ମାଧୁରୀ

ନ ରସିଲା ମନ ମୋହର  ଦେଖିବାକୁ ସେ ଶିରୀ   ।୧।

 

ନିତି ପ୍ରତି  କରେ କରମ  ସବୁ ଏ  ଦେହ ଲାଗି

  କରେ କରମ ଯହିଁରେ ତୁମେ ହୋଇବ ଭାଗି   ।୨।

 

ନାମ ଭଜିବାକୁ ମୋହର ବେଳ ମିଳଇ  ନାହିଁ

ନିମଜ୍ଜିଣ ଗ୍ରାମ୍ୟ ଗୀତିରେ ଦିନ ଦିଏ  କଟାଇ   ।୩।

 

ନିଦ୍ରା ଭୟ  ପୁଣି ଆହାର ମଇଥୁନରେ  ମଜ୍ଜି

ନଟବର ଶ୍ୟାମ ଶ୍ରୀପଦ ସେବା ଦିଏ ବରଜି   ।୪।

 

ନଚାଉଛ ଯେଉଁ ପ୍ରକାର ମୋର ଅନ୍ତରେ ରହି

ନାଚୁଅଛି  ସେହି ଭାବରେ ଶୁଣ ହେ  ଭାବଗ୍ରାହୀ   ।୫।

 

ନ ମଜ୍ଜିଲି ଦିନେ ତୋ ପ୍ରେମ ଭକ୍ତି ମଧୁସାଗରେ

ନିରେଖ ଜନ ପ୍ରାୟ ହେଲି ବୁଡ଼ି ବିଷୟା ନୀରେ   ।୬।

 

ନିଶି ହୋଇଲାଣି ନିକଟ ଦିବସ ଶେଷ ପ୍ରାୟ

ନଟବର ରୂପ ଧ୍ୟାନରେ ଚିତ୍ତ ନୋହିଲା ଥୟ   ।୭।

 

ନମଇଁ ଶ୍ରୀପଦେ ତୁମର ମାଗେ ବୁନ୍ଦେ କରୁଣା

ନନ୍ଦ ପୁଅ ଶୁଣ ଅନ୍ଧ ମୁଁ ପଥ ହୋଇଛି  ବଣା   ।୮।

 

ନଟବର ବେଶେ ଶ୍ରୀମତୀ ଥିବେ ସଙ୍ଗେ ତୁମରି

ନିରେଖି ସେ ରୂପ ବଇୟା ହେଉ ଏ ଭବ ଏ ପାରି   |୯|

 

(ପ)

ପରମ ପରମ ଆନନ୍ଦି ଜୀବ ଅଛି ବନ୍ଧନେ

ପରମାଦ ସବୁ ଜୀବର ଏକା ବିଦ୍ୟା ବିହୁନେ   ।୧।

ପରଶ ପଥର ସୁଧା ଏ ତାଙ୍କ ପରଶ ପାଇ

ପୂର୍ଣ୍ଣ ସ୍ଵର୍ଣ୍ଣ ହୁଅଇ ଖଳ ମଳ ଯାଏ ତା’ ଧୋଇ   ।୨।

ପରଶ ପାଇବ ସେ ଜନ ଯାରେ ତୋର କରୁଣା

ପଡ଼ି ନ ବୁଡ଼ିବ ଏ ଭବେ ବାଟ ହୋଇଣ ବଣା   ।୩।

ପତିତପାବନ ନାମକୁ କିଏ ଦେଲା ତୁମର

ପତିତ ଡ଼ାକ ଶୁଣିବାକୁ କର୍ଣ୍ଣ କଲ ବଧିର   ।୪।

ପତିତ ମୋ ପରି ତାରିଲେ ଲୋକେ ମଣିବେ ସତ

ପାରି ହେବା ପାଇଁ ଏଭବ ଆଶା କରି ଜାଗ୍ରତ   ।୫।

ପାପୀ ତାପୀ କେତେ ତାରିଛ ଘୋଷୁଅଛି ପୁରାଣ

ପୂର୍ଣ୍ଣ ପାପୀ ମୁହିଁ ମୋ କଥା ବୁଝ ହେ ନାରାୟଣ   ।୬।

ପରପାରେ ନେବା ବେଳରେ ହୃଦେ ଗୁରୁ ମନ୍ତର

ପ୍ରସନ୍ନ ହୋଇ ଜପୁଥିବି ସ୍ମରି ମୂରତି ତୋର   ।୭।

 

ପୂର୍ଣ୍ଣ  ତୋ ଯୁଗଳ ଲୂରତି ଦିଶୁଥିବ ନୟନେ

ପରାୟଣ କରି ତୋ ନାମଥିବେ ସାଧୁ ସେ ସ୍ଥାନେ   ।୮।

 

ପରାଭବ ଦେଇ ସେ କାଳେ ମୋତେ ଯେ ନେବ ନେଉ

ପରମାନନ୍ଦଙ୍କ ଶ୍ରୀପଦେ ବଇୟା ମନ ଥାଉ   ।୯।

(ଫ)

ଫନ୍ଦା କଲି ନାହିଁ ତୋ ନାମ ଧନ୍ଦା କଲି ବିଷୟ

ଫାଶରେ ପଡ଼ିବି ଯମର ନାହିଁ ତୋ ପଦେ ଲୟ   ।୧।

 

ଫୁଲରେ ତୁମର ଶରଧା ଜାଣି ମଣ୍ଡି ଫୁଲରେ

ଫୁରଣା ହୋଇ ମୁଁ ନାଚିବି ଗାଇ ନାମ ତୁଣ୍ଡରେ ।୨।

 

ଫଗୁଣର ଫଗୁ ମିଶାଇ ଚୂଆ ଚନ୍ଦନ ସଙ୍ଗେ

ଫରଫର ପିଚକାରିରେ ଢାଳି ଦିଅନ୍ତି ଅଙ୍ଗେ   ।୩।

 

ଫଳବତୀ ନୋହେ ମୋହର କୋଟି କୋଟି କଳ୍ପନା

ଫଳଇ ସିନା ଏକା ତୋର ହୃଦଗତ ଭାବନା   ।୪।

 

ଫାଶକରି ମାୟା ଡ଼ୋରରେ ବାନ୍ଧିଅଚୁ ଜଗତ

ଫାଳ ଫାଳ କରି ଛିଡ଼ାଏ ତାହା ଏକା ଭକତ   ।୫।

 

ଫଟା କପାଳରେ ଭକତ ହେବା ଜୁଟିବ ନାହିଁ

ଫରିଆଦି ଗୁରୁ ସାଧୁଙ୍କ ପାଶେ କରିବି ଯାଇ   ।୬।

 

ଫଳ କରି ସାଧୁ ସଙ୍ଗଟି ଫୁଲ ପରି ସାଧନା

ଫଳଇ ସଞ୍ଚିତା ପୁଣ୍ୟରେ କଲେ ବିଭୁ କରୁଣା   ।୭।

 

ଫଣୀ ସମ କରମ ଫଳ ପଥ କରନ୍ତି ରୋଧ

ଫୁକାରି କରନ୍ତି ଗର୍ଜନ ମୋତେ କରିବେ ବଧ   ।୮।

 

ଫାଟକ ପକାଇ ଅଟକ ମୋତେ ଆଉ ନ କର

ଫାଶୀ ଦିଅ ବଇକୁଣ୍ଠକୁ ନେଇ ତୁମରି ପୁର   ।୯।

(ବ)

ବରଜରାଜଙ୍କ ସରୋଜ ପଦ କରି ବନ୍ଦନ

ବରଜିବି ଭବ-ବନ୍ଧନ ବୋଲି ବଳାଏ ମନ   ।୧।

 

ବାନ୍ଧି ରଖିଛନ୍ତି ମନକୁ ଦୁଷ୍ଟ ଇନ୍ଦ୍ରିୟଗଣେ

ବନ୍ଧୁତା କରେ ତାଙ୍କ ସଙ୍ଗେ ଅଳ୍ପାନନ୍ଦ କାରଣେ   ।୨।

 

ବହୁ କଷ୍ଟେ ବନ୍ଧୁ ବାନ୍ଧିଛି ଯେ ବା ତୁମରି ଘରେ

ବାହୁନିବା ସାର କରିଛି ଦେଖା ନ ପାଇବାରେ   ।୩।

 

ବଳିଆର ଭୁଜ ଆଶ୍ରୟ କରିଲା ବଳ ପାଇଁ

ବଳି ପଶୁ ପ୍ରାୟ ଭକ୍ଷିଲା ମାୟା ଦୁର୍ବାକୁ ସେହି   ।୪।

 

ବନ ଘୋରେ ଡାକି ପ୍ରେମରେ ଦେଲ ଯେତେ କଷଣ

ବିନା କାରଣରେ ଗୋପୀଏ ତାହା ଭୁଞ୍ଜିଲେ ପୁଣ   ।୫।

 

ବାରଣତାରଣ ବରଣ କରୁ ମନ ମୋହର

ବନ ଘୋରେ ମୃଗୀ ତାରିଲ କାରଣ କିବା ତାର   ।୬।

 

ବଳିଆ ଭକତ ପାଇଁକି ତୁମ କାହିଁ ନିୟମ ?

ବାନ୍ଧି ପକା ଅନ୍ୟ ଜନେ କେହି କଲେ ସେ କର୍ମ   ।୭।

 

ବୁଝି ତ ହୁଏନା ପ୍ରଭୁ ହେ ତୁମ ନିୟମ ଧାରା

ବହୁତ ବିଚାର କରେ ଯେ ଭ୍ରମେ ଜଗତ ସାରା   ।୮।

 

ବିନା କାରଣରେ ତାରିଛି ବେଶ୍ୟା ହରିଣ ଗଜ

ବଇକୁଣ୍ଠ ପାଇଁ କାରଣ ପ୍ରଭୁ ଆଉ ନ ଖୋଜ   ।୯।

(ଭ)

ଭୟ ଆସି ଉଭା ହେଲାଣି ଭକ୍ତିରେ ପ୍ରୀତି ନାହିଁ

ଭଲ ଭଲେ ପରି ଦିଶଇ ଶୁଣ କଳାକହ୍ନାଇ   ।୧।

 

ଭଜନ ସାଧନ ବିହୁନେ ଅସାର ମୋ ଜୀବନ

ଭାବ ବିନୋଦିଆ ଶ୍ରୀପଦ ମନ ନ କରେ ଧ୍ୟାନ   ।୨।

 

ଭକ୍ତିରେ ନାହିଁ ଯାର ପ୍ରୀତି ସେ କି ଜାଣେ ତୋ ପାଦ

ଭଟା ପଡ଼େ ତୋର ଭାବରେ କାହିଁ ଭକ୍ତି ସୁଆଦ   ।୩।

 

ଭାବକୁ ନିକଟରେ ଥାଅ ଅଭାବକୁ ତ ଦୂର

ଭକତ ହିତ ସାଧିବାକୁ କର ନାନା ବେଭାର   ।୪।

 

ଭଗାରି ହୋଇଣ ରିପୁଏ ସାଧନ୍ତି ନାନା ଦାଉ

ଭସାଇବେ ଭବସାଗରେ ସାହା କେ ହେବ ଆଉ   ।୫।

 

ଭାସିଗଲେ ଭବେ ରଟିବ ତୁମ୍ଭରି ଅପଯଶ

ଭଜି ଥରେ ନାମ ତୁମ୍ଭର ଯେବେ ହୋଇବି ନାଶ   ।୬।

 

ଭୟାନକ ମୁଖ ଦେଖାଇ କାଳ ଆସଇ ମାଡ଼ି

ଭଙ୍ଗୁର ଜୀବନ ନିଶ୍ଚୟ ଯିବ ଏ ଘଟ ଛାଡ଼ି   ।୭।

 

ଭରିଣା କରିଛ ସବୁରି କାମ-କୁମ୍ଭ ଶ୍ରୀହରି

ଭଗାରି ନ ହୋଇ ଶୁଣିବା ହେଉ ମୋର ଗୁହାରି   ।୮।

 

ଭଣ୍ଡିଦେବ ନାହିଁ ବୈକୁଣ୍ଠେ ପ୍ରାଣ ପ୍ରୟାଣ କାଳେ

ଭରସା ରଖିଛି ମରିବି ଚାହିଁ ମୁଖ ମଣ୍ଡଳ   ।୯।

(ମ)

ମଦନମୋହନ ଶିରୀକୁ ଥରେ ଦେଖିବା ପାଇଁ

ମନ ନ ବଳିଲା ମୋହର ବିଷୟେ ଅନ୍ଧ ହୋଇ   ।୧।

 

ମାର୍ତ୍ତଣ୍ତ ସମାନ ଜାଗିଣ ପ୍ରଭୁ ହୃଦରେ ମୋର

ମନର କାଳିମା  ଘୁଞ୍ଚାଅ ଆହେ ବଡ଼ ଠାକୁର   ।୨।

 

ମିଳନ କାଳରେ ଶ୍ରୀପତି  ଶ୍ରୀମତୀଙ୍କ ସଙ୍ଗରେ

ମୁରଲୀର ଧ୍ଵନି ସତେ  କି ଶୁଭିବ ମୋ କର୍ଣ୍ଣରେ   ।୩।

 

ମନ୍ଦେ ମନ୍ଦେ ହସି ମୋ ଦିଗେ ତୁମେ ଅନାଇଥିବ

ମରଣ କାଳରେ ଏତିକି ଶୁଭ ସତେ ଦିଶିବ   ।୪।

 

ମିଳିନ୍ଦ ହୋଇଣ ମୋ ମନ ଚୁମୁ ତୋ ପଦ ମଧୁ

ମିନତି କରୁଛି କରୁଣା  ସତେ କରିବେ ସାଧୁ   ।୫।

 

ମାଫ କରିଣ ଅପରାଧ ଦେବ କୃପା ବିତରି

ସଫା ହୋଇବ ମୋ ଅନ୍ତର ଗୁରୁ ନାମ ସୁମରି   ।୬।

 

ମାହେନ୍ଦ୍ର ବେଳା କି ଆସିବ ସତେ ଜୀବନେ ମୋର

ମଧୁର ରାହାସ ଦର୍ଶନେ ଚିତ୍ତ ହେବ ବିଭୋର   ।୭।

 

ମାଳତୀ ଲତିକା କୁଞ୍ଜରେ ଥିବ ରାଧାମାଧବ

ମଧୁରେ ଦୋଳିକୁ ଝୁଲାଇ ଜୀବ କୃତାର୍ଥ ହେବ   ।୮।

 

ମାର୍ଜନୀ କରରେ ଧରିଣ କରୁଥିବି ମାର୍ଜନା

ମରଣେ ବରଣ ବୈକୁଣ୍ଠ କରୁ ଏହି କାମନା   ।୯।

(ଯ)

ଯାତନା ବହୁତ ଯତନେ କରିଲିଣି ମୁଁ ଭୋଗ

ଯମପୁର ଯେତେ ଯାତନା ହେଉ ମୋ ପାଇଁ ତ୍ୟାଗ   ।୧।

 

ଯଉବନ କାଳୁ ଟାକିଛି ତୋର କରୁଣା ଆଶେ

ଯୋଗ ତପ ଯଜ୍ଞ ଧ୍ୟାନରେ ମୋର  ମନ ନ ରସେ    ।୨।

 

ଜପ କରିବାକୁ ତୋ ନାମ କରି ନାହିଁ ନିବନ୍ଧ

ଯେତେବେଳେ ମନେ ପଡ଼ଇ କହେ ତ୍ରାହି ଗୋବିନ୍ଦ   ।୩।

 

ଯିବା ବେଳେ ଜୀବ ଘଟରୁ ଯେବେ ଦର୍ଶନ ଦେବ

ଜିଇଁବା ଠାରୁ ମରଣକୁ ଦୀନ ବଡ଼ ମଣିବ    ।୪।

 

ଯିବା ଆସିବା କରି କରି ବହୁ ଦୁଃଖ ପାଇଲି

ଜନମି ମରିଲି ମରିଣ ପୁଣି ଜନମ ହେଲି   ।୫।

 

ଯେତେ ଦୁଃଖ କଷ୍ଟ ପାଇଲି ମାତୃ ଗର୍ଭରେ ମୁହିଁ

ଜନମି ସୁଖ ଭୋଗିବାକୁ ମନ ମୋ ବଳୁ ନାହିଁ   ।୬।

 

ଯେବେ ଦେବ ମୋତେ ଜନମ ନେଇ ଯଉଁ ଯୋନିରେ

ଯତନେ ଦେବ ପ୍ରେମ ଭକ୍ତି ଥିବି ତୁମ ସଙ୍ଗରେ   (୭)

 

ଜଗତ କରତା ଶ୍ରୀକୃଷ୍ଣ ପ୍ରାଣପ୍ରିୟା ରାଧିକା

ଯତନେ ହେବ କି ମାନସ ତାଙ୍କ ପାଦ ସେବିକା   ।୮।

 

ଜୀବନ ଯିବାକୁ ମୋହର ଏବେ ହେଲାଣି ସଜ

ଯାତ୍ରାକଳେ ବଇକୁଣ୍ଠିଆ ଦେଖୁ ମୁଖ ସରୋଜ   ।୯।

(ର)

ରସିକ ରସ ବରଧିନି ଆହ୍ଲାଦିନୀ ଚିନ୍ମୟୀ

ରାଧିକା ସର୍ବ ଆରାଧିକା ପଦେ ନାହିଁ ତ ଧ୍ୟାୟୀ   ।୧।

 

ରସରାଜ ରାସ ରସିକ ସେବା ମିଳିବ କାହିଁ

ରାସମୟୀ ରାସ ରସିକା ପଦେ ସେବିତ ନାହିଁ   ।୨।

 

ରସନା ନ ରସେ ମୋହର ତୋର ନମ  ରସରେ

ରସୁ ନାହିଁ ଦିନେ ମାନସ ତୁମ ପଦ ସେବାରେ   ।୩।

 

ରଜକ କି କଲା ତା’ ପରେ ଢ଼ାଳିଦେଲ କରୁଣା

ରାଣ୍ତି କୁଜୀ ହେଲା ସୁନ୍ଦରୀ ଦେଇ କେଉଁ ପାଉଣା    ।୪।

 

ରସ ତୁମେ କେଉଁ କଥାରେ କିବା କର୍ମରେ ହରି

ରସନା ଧରି କେ କହିବ ତାହା ବିଚାର କରି   ।୫।

 

ରଖିଲ ଜଳରେ ଗଜକୁ ଗ୍ରାହ କରି ବିନାଶ

ରଖ ମୋତେ ରିପୁ କବଳୁ କାଟି ମାୟାର ଫାଶ   ।୬।

 

ରଖ ବା ନରଖ ଆର୍ତ୍ତ ମୁଁ ଆର୍ତ୍ତ ହରଣ ପାଶେ

ରାଶି ରାଶି ଦୁଃଖ ବାଢ଼ିବି ଦୁଃଖ  ହରଣ ଆଶେ   ।୭।

 

ରମଣୀ ରତନେ ମଣନ୍ତି କାମ ଜନେ ଯେପରି

ରତନ ରଖନ୍ତି ଲୋଭୀଏ ଯେହ୍ନେ ସାଇତି କରି   ।୮।

 

ରମଣୀୟ ହୁଅ ପ୍ରଭୁ ହେ ସେହିପରି ମୋହର

ରସିକରାଜଙ୍କ ପୟରେ ଭିକ୍ଷା ଏ ବଇୟାର   ।୯।

 

(ଲ)

ଲଳିତ ଦଳିତ ଅଂଜନ ଗାତ୍ର ନେତ୍ରେ ମୋ ଦିନେ

ଲକ୍ଷ୍ୟ କରି ଲାଖି ଯିବ କି ତୁମ ଚନ୍ଦ୍ର ବଦନେ   ।୧।

ଲବଙ୍ଗ ଲତିକା କୁଞ୍ଜରେ ଥିବ ଶ୍ରୀମତୀ ସଙ୍ଗେ

ଲଳିତା ବିଶାଖା ଥଟ୍ଟାରେ କହୁଥିଵେ ପ୍ରସଙ୍ଗେ   ।୨।

ଲକ୍ଷ୍ୟ କରି ସେହି ମାଧୁରୀ ଜୀବ କରୁ ପ୍ରୟାଣ

ଲୋଭୀ ହୋଇ ମୋର ମାନସ କରୁ ନାମ ଭଜନ   ।୩।

ଲଟା ଧରୁ ଭକ୍ତି ଲତିକା ଫୁଟୁ ପ୍ରେମ କୁସୁମ

ଲୋଟି ଯାଉ ଫଳ ସ୍ଵରୂପେ ବ୍ରହ୍ମାନନ୍ଦ ଯେ ଜ୍ଞାନ   ।୪।

ଲୋଭ ବଢ଼ୁଥାଉ  ଶ୍ରୀ ଗୁରୁ ପଦ୍ମପାଦ ରେଣୁରେ

ଲାଳସା ସବୁ କଳେ ଜାଗୁ ତୁମ ଲୀଳା ଶରୀରେ   ।୫।

ଲବ ନିମିଷ କ୍ଷଣ ଲେଶ ପାଇଁ ମନୁ ମୋହର

ଲୁଚି ନ ଯାଉ ମୋ ହୃଦରୁ ପ୍ରଭୁ ମୂରତି ତୋର   ।୬।

ଲୋଟି ଯାଉ ମୋର ମସ୍ତକ ତୁମ ଭକ୍ତଙ୍କ ପଦେ

ଲବଣି ଚୋର ଗୋପୀ ପ୍ରେମ ସଦା  ତୁମରି ହୃଦେ   ।୭।

 

ଲାଭ ଅଲାଭ ସୁଖ ଦୁଃଖ ସମ ମଣି ଅନ୍ତରେ

ଲୋଟି ଯାଉଥିବି ପ୍ରେମରେ ତୋର ଲୀଳା-ଭୂମିରେ   ।୮।

 

ଲୟ ରଖି ତୋର ପୟରେ ପ୍ରାଣ ପ୍ରୟାଣ ହେଉ

ଲାଞ୍ଛିତ ନ ହେଉ ବୈକୁଣ୍ଠ ମୋର ମାଗୁଣି ଏହୁ    ।୯।

(ବ)

ବହୁଛି ତୁମରି କରୁଣା ନାହିଁ ବିରାମ ତା’ର

ବାନ୍ଧି ନ ପାରିଣ ଅନ୍ତରେ ଭ୍ରମ ସାରା ସଂସାର   ।୧।

 

ବାନ୍ଧିଛି କରୁଣା ନାବଟି ଭବ  ସାଗର କୂଳେ

ଵସିଛନ୍ତି ଗୁରୁ କାଣ୍ତାରି ସେହି ନାବର ଚୂଳେ   ।୨।

 

ବହୁଛି ଅନୁକୂଳ ବାୟୁ ବାହି ନେବାକୁ ନାବ

ବସିଲେ ହେ ସେହି ନାବରେ ନମେ ଦ୍ଵିବିଧାଭାବ   ।୩।

 

ବଳିଷ୍ଠ ବିଶ୍ଵାସ କାଣ୍ତାରି ପରେ ନ ଆସେ ଯେଣୁ

ଵଲ୍ଲଭ ଦର୍ଶନେ ସଂଶୟ  ଜାଗେ ପରାଣେ ତେଣୁ   ।୪।

 

ବସନ୍ତ ପବନ ବହିଲା ଦେହ ତରୁରେ ମୋର

ବାଞ୍ଛିତ ଫୁଲ ନ ଧରିଲା କେଉଁ ଅଭାଗ୍ୟ ଘୋର   ।୫।

 

ବାଣ ପରି ଟାଣ ଇନ୍ଦ୍ରିୟଗଣେ ମାରନ୍ତି ଶରେ

ବଶୀଭୂତ କଲେ ମନକୁ ସଦା ତାଙ୍କ ବାଟରେ   ।୬।

 

ବାରନାରୀ ପରି ଛାଡ଼ିଣ ଘରେ ନିଜ ପତିକି

ବାର ବାର ପର ପୁରୁଷେ ବଳାଇଲି ମତିକି   ।୭।

 

ବାନ୍ଧିଦିଅ ଗୁରୁ ଚରଣେ ମନ ପରାଣ ମୋର

ବରଦ ହୁଅ ନିଜ ଗୁଣେ ପଦେ କରେ ଜୁହାର   ।୮।

 

ବନମାଳୀ ପଦ ଦର୍ଶନ କରି ବୃନ୍ଦାବନରେ

ବିହରିବି ସତେ ବୈକୁଣ୍ଠ ନିତ୍ୟ ରାସ ସ୍ଥାନରେ   ।୯।

(ଶ)

ଶରୀର ଧାରଣ କରିଣ ଯେବା ନ ଭଜେ ନାମ

ଶରଣ ନ ବଶି ଚରଣେ ବୃଥା ବିତାଏ ଜନ୍ମ   ।୧।

 

ସକଳ ଘଟରେ ଓଁକାର ରୂପେ ପ୍ରକାଶ ଯେହୁ

ସ୍ମରଣ ଯେ ତାଙ୍କୁ ନକରେ ନିଶ୍ଚେ ଅଜ୍ଞାନ ସେହୁ   ।୨।

 

ଷଡ଼ଚକ୍ର ପରେ ବିଜୟ ନିଜେ କମଳା ପତି

ଶବଦ ବ୍ରହ୍ମ ସନାତନ ବୋଲି ସୁଜ୍ଞ କହନ୍ତି   ।୩।

 

ସାଧୁଏ ସାଧନା କରନ୍ତି ତାଙ୍କୁ ଆଶ୍ରୟ କରି

ସିଦ୍ଧିବଳେ ସୁଖେ ରହନ୍ତି ପାଇ କରୁଣା ବାରି   ।୪।

 

ସହଜେ ଭକତେ ଥାଆନ୍ତି ଯେ ବା ଭକତି ଭାବେ

ସୂକ୍ଷ୍ମରେ ଦରଶନ କରି ତରି ଯାଆନ୍ତି ଲବେ   ।୫।

 

ସଜ୍ଜନଙ୍କ ସେବା ଫଳରେ କେବା ପାଇଛି ଗତି

ସତ୍ୟର ଆଶ୍ରୟରେ ପୁଣି କେହି ପାଇଛି ଶାନ୍ତି   ।୬।

 

ସବୁ କଥାରେ ମୁଁ ଅକ୍ଷମ ତେଣୁ ମାଗୁଛି କ୍ଷମା

ସୁଚିତେତ ସ୍ଵୟଂ ବିଚାରିଣ ପରକାଶ ମହିମା   ।୭।

 

ସଵୁବେଳେ ବସି ଭାବୁଛି ବଳିଆର ମୋ ପ୍ରଭୁ

ସୁଧାରି ନେବେ ଶେଷେ ମୋତେ ଦୋଷ କ୍ଷମି ମୋ ସବୁ   ।୮।

 

ସେଥିପାଇଁ ସ୍ଥିରେ ବସିଛି  ଛାତି କରି ପଥର

ସାରା କହେ ବଇକୁଣ୍ଠିଆ ଯାହା କର ଠାକୁର   ।୯।

(ଷ)

ଶଶା ଲୋଭ କରି ପାଇଲା ଶଶୀ ଅଙ୍କରେ ସ୍ଥାନ

ଶ୍ୟାମ ରୂପେ ଲୋଭ ରଖିଲେ ନିଶ୍ଚେ ଲଭିବୁ ମନ   ।୧।

 

ସବୁରି ଅନ୍ତର ଜାଣନ୍ତି ସେତ ଅନ୍ତରଯ୍ୟାମୀ

ସଂସାର ବନ୍ଧନ ତୁଟାଅ ହୋଇ ତା ପଦ-ପ୍ରେମୀ   ।୨।

 

ସବୁଠିଁ ନିରେଖ ଶ୍ୟାମଙ୍କ ମୁଖ ମଧୁର ଶୋଭା

ସକଳ ଦେଖ ଏକ କରି ଜାଣି ତାଙ୍କରି ପ୍ରଭା   ।୩।

 

ସଦାବେଳେ ଭଜ ତା ନାମ ସ୍ମର ତାଙ୍କ ମୁରତି

ସବୁକର୍ମ ତାଙ୍କୁ ସମର୍ପି କର ସାଧୁରେ ରତି   ।୪।

 

ସାଧୁ ପଦ ରଜ ଭୂଷଣ କର ସର୍ବ ଅଙ୍ଗରେ

ସାଧୁଙ୍କର ସଙ୍ଗେ ବିହର ସେବି ନାନା ଢଙ୍ଗରେ   ।୫।

 

ସଦାକାଳେ ସର୍ବେ ବତାନ୍ତି ମନୁଷ୍ୟ ଦେହ ଲାଭ

ସାର୍ଥକ ହୁଅଇ ଜନମ କଲେ ଗୋବିନ୍ଦେ ଭାବ   ।୬।

 

ସେବା, ପୂଜା କିବା ଭଜନ ଯେବେ ଗୋବିନ୍ଦେ ନାହିଁ

ସାର୍ଥକ ନ କଲୁ ଜୀବନ ନର ତନୁକୁ ପାଇ   ।୭।

 

ଶୁଖିଲା ବାଲିରେ ନାବ ବା କାହିଁ ଚଳି ପାରିବ

ଶ୍ୟାମ ଭଜନ ନ କରିଲେ କାହୁଁ ଗତି ମିଳିବ   ।୮।

 

ସସ୍ନେହ ଶରଣ ଚରଣ ତଳେ ମିଳୁ ଗୋବିନ୍ଦ

ସଂସାର ବରଜି ବୈକୁଣ୍ଠ ଚିନ୍ତୁ ପଦାରବିନ୍ଦ   ।୯।

(ସ)

ସରିଗଲା ଆସି ପ୍ରଭୁ ହେ ଦୁର୍ଲ୍ଲଭ ଜନ୍ମ ମୋର

ସରାଗେ ଦିନେ ନ ଭଜିଲି ପ୍ରଭୁ ତୁମ ପୟର   ।୧।

 

ସାରିଦେଲି ବ୍ୟର୍ଥେ ଜୀବନ ଉପାୟ ଦିଶୁ ନାହିଁ

ସତେ କି ମିଳିବ ଏ ଦେହ ତୁମେ ଜାଣ ଗୋସାଇଁ   ।୨।

 

ସସ୍ନେହେ  ଦେଲ ତ ପ୍ରଭୁ ହେ ମୋତେ ମାନବ ଜନ୍ମ

ସଜାଡ଼ି ରଖିଲି ରିପୁଙ୍କୁ କରିବାକୁ ସାଧନ   ।୩।

 

ସାଧନ ନ କରି ସଂସାରେ ବିଷୟାରେ ମଜ୍ଜିଲି

ସମ୍ମତି ନଥିଲେ ହେଁ ମୋର ସମନକୁ ଡାକିଲି   ।୪।

 

ସରଳ ମନରେ ଛଳନା କେବେ ନ ପାରେ ତେଜି

ସ୍ଵରଗ ସୁଖ କାମନାକୁ ହୃଦୁଁ ନାହିଁ ବରଜି   ।୫।

 

ସ୍ଵପନରେ ଯେବେ ଦେଖନ୍ତି ଥରେ ତୁମ୍ଭ ବଦନ

ସରିଯାନ୍ତା ମୋର ନିଶ୍ଚୟ ଭବ ରୋଗ ବନ୍ଧନ   ।୬।

 

ସାଧୁ ପଦରଜେ ହୋଇନି ଅଭିଷିକ୍ତ ମୋ ଶିର

ସବୁ ଧନ୍ଦା ତେଜି କରିନି ପ୍ରୀତି ତୁମ୍ଭ ପୟର   ।୭।

 

ସାବଧାନ ମୋତେ କରିଛ ତୁମେ ବିବେକ ଦେଇ

ସ୍ଵତନ୍ତ୍ର ହେଲା ମନ ମୋର ଦୂରେ ବିବେକ ଥୋଇ   ।୮।

 

ସୁଧା ଦେଇ କ୍ଷୁଧା ମୋହର ତୁଟା କରୁଣାକର

ଶିର ପାତି କରେ ଜୁହାର ଘେନ ଏ ବଇଆର   ।୯।

(ହ)

ହରି ବୋଲି ହୁରି କରୁଛି ତରି ଯିବାକୁ ଭବୁ

ହେବି କି ନାହିଁ ସେ ଯୋଗ୍ୟ ମୁଁ ତାହା ଜାଣତ ପ୍ରଭୁ   ।୧।

 

ହେଉ ବା ନ ହେଉ ସୁଦୟା ଭାବୁଅଛି ତ ବସି

ହେତୁରେ ଶ୍ରୀ ଗୁରୁ ସୁମରି ମଲେ ହୋଇବି ଖୁସି   ।୨।

 

ହେଲେ ଶେଷ ବେଳ ଏତିକି ମାତ୍ର ହୋଇବ ଯେବେ

ହସି ଯିବିଚାଲି ସଂସାରୁ ମୋତେ ଯେ ଠାବେ ନେବେ   ।୩।

 

ହରଷ ଚିତ୍ତେ ମୋ ମନରେ ଏହା କରିଛି ସାର

ହେଜି ବୁଝି ଏହା କହୁଛି ସ୍ଵାମୀ କର ବିଚାର   ।୪।

 

ହରି ନାହିଁ ଧନ ଦରବ କାହାର ବଳେ ବଳେ

ହୋଇଛି ଯେ ବେଳେ ଯେ ଆଜ୍ଞା ତାହା ପାଲିଛି ହେଳେ   ।୫।

 

ହରଣ କରିଛି କଷଣ କେତେ ପତିତଙ୍କର

ହୀନଜନ ଜଣେ ଜଣାଏ ବେଳେ ଶ୍ରବଣ କର   ।୬।

 

ହେଳା କଲେ ଭେଳା ବୁଡ଼ିବ ନିନ୍ଦା ବାଜା ବାଜିବ

ହାତ ଯୋଡ଼ି ରହି ଛାଡୁଛି ଆହେ ରମାବଲ୍ଲଭ   ।୭।

 

ହିତ ଯାହା ହେବ ତାହାହିଁ ଦିଅ ମୋତେ ବତାଇ

ହରବର ଶେଷେ ନ ହେବି ଯେହ୍ନେ ଜଗତ ସାଇଁ   ।୮।

 

ହୃଦୟ –କନ୍ଦରେ ବିକାଶ ହୁଅ ଗୁ‌ରୁ ଶ୍ରୀକୃଷ୍ଣ

ହଜି ଯାଉ ପିଣ୍ଡୁ ପରାଣ ଅଳି କରେ ବୈକୁଣ୍ଠ   ।୯।

(କ୍ଷ)

କ୍ଷୀରସିନ୍ଧୁ ଜେମାଧବ ହେ କ୍ଷମା ସାଗର ହରି

କ୍ଷମିବ ସର୍ବ ଅପରାଧ ମୋତେ ଶିଶୁ ବିଚାରି   ।୧।

 

କ୍ଷିତିପତି ତୁମେ ହେ ପ୍ରଭୁ ପୁଣି ଜଗତ ପିତା

କ୍ଷୀରଣାୟୀ ମହାପ୍ରଳୟେ ଅଟ ବିଧାତା ଧାତା   ।୨।

 

ଖିଆଲ ରହୁନି ମୋହର ବୋଲି ତେଜିଲେ ହୀନେ

କ୍ଷାର ହେବ ପୁତ୍ର  ସଂସାର ପିତା  ଦୟା ବିହୁନେ   ।୩।

 

କ୍ଷାଳିତ କରି ସର୍ବ ଦୋଷ ମୋତେ କୋଳକୁ ନିଅ

କ୍ଷେତ୍ରଜ୍ଞ ମୋ ମୁକ୍ତି ଲଭିବ କ୍ଷଣେ ସଦୟ ହୁଅ   ।୪।

 

କ୍ଷେପି ଦିଅ ପଛେ ପ୍ରଭୁ ହେ ତୁମ ଚରଣ ଧରି

କ୍ଷାର ପରି ଲାଗି ରହିବି ପଦ ମଇଳା କରି   ।୫।

 

କ୍ଷୋଭ କର ନାହିଁ ପ୍ରକାଶ ଅଯୋଗ୍ୟ ପୁତ୍ର ତୋର

କ୍ଷୁବ୍‌ଧ ହେଲେ ସିନା ଜଳିବ ସର୍ବ ଶରୀର ମୋର   ।୬।

 

କ୍ଷିପ୍ର ହୋଇ କିମ୍ବା ଧାଇଁବ ତୁମେ ବଇଦ ଖୋଜି

କ୍ଷେପଣି ହସ୍ତରେ ଶ୍ରଗୁରୁ ବୈଦ୍ୟ ଆସନ୍ତୁ ଆଜି   ।୭।

 

କ୍ଷୁଦ୍ର ଜୀବନକୁ ମୋହରି ମନ ରୋଗରୁ ମୁକ୍ତ

କ୍ଷଣକ ମଧ୍ୟେରେ କରାଇ କରନ୍ତୁ ତୁମେ ଭକ୍ତ   ।୮।

 

କ୍ଷମାକର କ୍ଷମା ସାଗର ଦେଇ ତୁମ ଦର୍ଶନ

କ୍ଷୁଦ୍ର ବଇକୁଣ୍ଠ କ୍ଷନ୍ତବ୍ୟ ହେଉ ତୁମ ଚରଣ   ।୯।

 

(ନାରୀଧର୍ମ)

(୯) ଅନୁରାଗଭରା ପ୍ରାଣେ ଗୋ

 

ଅନୁରାଗଭରା ପ୍ରାଣେ ଗୋ ସରୁ କାଇଁଚମାଳି,

ଅନୁସରି ମୋର କଥାରେ ଚଳିବ,

ପାସୋରିବ ନାହିଁ କ୍ଷଣେ ଗୋ ସରୁ କାଇଁଚ ମାଳି   ।୧।

 

ଆସକ୍ତ ନୋହି ଏ ଭବେ ଗୋ ସରୁ କାଇଁଚ ମାଳି

ଆସିଅଛ ଯେଉଁ କର୍ତ୍ତବ୍ୟ କରମେ,

ତ୍ରୁଟି ନ କରିବ ଲବେ ଗୋ ସରୁ କାଇଁଚ ମାଳି   ।୨।

 

ଇତର ପରି ନମଣ ଗୋ ସରୁ କାଇଁଚ ମାଳି,

ନୀଚ୍ଚ ଉଚ୍ଚ ଯେତେ ଅଛନ୍ତି ଜଗତେ

ସବୁଙ୍କୁ କୁଟୁମ୍ବେ ଗଣ ଗୋ ସରୁ କାଇଁଚମାଳି   ।୩।

 

ଈଶ୍ଵରଙ୍କୁ ନିତ୍ୟେ ସ୍ମରି ଗୋ ସରୁ କାଇଁଚ ମାଳି

ପରାପର ଚିତ୍ତେ ନବାରି ଉଚିତେ

ଦେଖିବ ନିଜର ପରି ଗୋ ସରୁ କାଇଁଚ ମାଳି   ।୪।

 

ଉଦାସ ସ୍ଵଭାବ ଧରି ଗୋ ସରୁ କାଇଁଚ ମାଳି

ଆଦର୍ଶ ହୋଇ ଏ କର୍ମ କ୍ଷେତ୍ରେ ଚଳ

ଭାବି ହେବେ ନରନାରୀ ଗୋ ସରୁ କାଇଁଚ ମାଳି   ।୫।

 

ଉଚ୍ଛୃଙ୍ଖଳମତି ଛାଡ଼ି ଗୋ ସରୁ କାଇଁଚ ମାଳି

ବାଲ୍ୟକାଳ ରୀତି ଖେଳୁଆଡ଼ ଗତି,

ଅନ୍ତରରୁ ଯାଅ ହୁଡ଼ି ଗୋ ସରୁ କାଇଁଚ ମାଳି   ।୬।

 

ଋଷି କନ୍ୟା ଆଚରଣ ଗୋ ସରୁ କାଇଁଚ ମାଳି

ଶିକ୍ଷାକରି ଯେବେ ପାରିବ ଜୀବନେ

ଧରାଧାମେ ହେବ ଗଣ୍ୟ ହେ ସରୁ କାଇଁଚମାଳି   ।୭।

 

ଏ ଦେହ କ୍ଷଣକ ପାଇଁ ଗୋ ସରୁ କାଇଁଚ ମାଳି,

ମହତ ଉଦ୍ଦେଶ୍ୟ କର୍ମକରି ଯଶ,

ଯତନରେ ଯାଅ ଥୋଇଗୋ ସରୁ କାଇଁଚ ମାଳି   ।୮।

 

ଐରୀ ତୋର ଷଡ଼ରିପୁ ଗୋ ସରୁ କାଇଁଚ ମାଳି,

ନ ମାରିଲେ ତାଙ୍କୁ ବଢି ବେଳୁ ବେଳ,

କ୍ଷୀଣ କରିବେ ତୋ ବପୁ ଗୋ ସରୁ କାଇଁଚ ମାଳି   ।୯।

 

ଓଳଗି ହୁଅ ବିଭୁଙ୍କୁ ଗୋ ସରୁ କାଇଁଚ ମାଳି

ବିନୟ ପ୍ରାର୍ଥନା କର ତାଙ୍କ ପାଦେ,

ଦେଖାଇବେ ସୁପଥକୁ ଗୋ ସରୁ କାଇଁଚ ମାଳି   ।୧୦।

 

ଔଷଧି ତାହାଙ୍କ ନାମ ଗୋ ସରୁ କାଇଁଚ ମାଳି

ଆଶୁ ଫଳପ୍ରଦ ଲଭନ୍ତି ମାନବ

ହଟି ଯାଏ ରୋଗ ତମ ଗୋ ସରୁ କାଇଁଚ ମାଳି   ।୧୧।

 

କର ସ୍ଵାମୀ ପାଦେ ଭକ୍ତି ଗୋ ସରୁ କାଇଁଚ ମାଳି

ନାରୀମାନଙ୍କର ସ୍ଵାମୀଟି ଈଶ୍ଵର,

ସ୍ଵାମୀ ସେବା ଗତି ମୁକ୍ତି ଗୋ ସରୁ କାଇଁଚ ମାଳି   ।୧୨।

 

ଖଳ ଜନ ନିନ୍ଦା ବାଣୀ ଗୋ ସରୁ କାଇଁଚ ମାଳି,

କ୍ଷଣ ହେଁ କାନକୁ ନନେବ ସେକଥା,

ବିଷ ପରି ଥିବ ଜାଣି ଗୋ ସରୁ କାଇଁଚ ମାଳି   ।୧୩।

 

ଗୁରୁଜନେ ମାନ୍ୟ କର ଗୋ ସରୁ କାଇଁଚମାଳି

ଭଲେ ମନ୍ଦେ ବାରି କାହିଲେ ତୁମ୍ଭଙ୍କୁ

ଚଳି ନ ଦେବ ଉତ୍ତର ଗୋ ସରୁ କାଇଁଚମାଳି   ।୧୪।

 

ଘର ଲକ୍ଷ୍ମୀ ଭାବ ଧ୍ୟାୟୀ ଗୋ ସରୁ କାଇଁଚ ମାଳି

ସ୍ଵମୀ ତୁମ ଗୁରୁ ପରମ ବାନ୍ଧବ

ସତୀ ବ୍ରତ ତାଙ୍କ ପାଇଁ ଗୋ ସରୁ କାଇଁଚ ମାଳି   ।୧୫।

 

ଅଳସ ପଣ ନ ଧରି ଗୋ ସରୁ କାଇଁଚ ମାଳି,

ପତି ସେବା କାର୍ଯ୍ୟେ ଅନ୍ୟ ନାୟିକାକୁ

ନଦେବ ନିଯୋଗ କରି ଗୋ  ସରୁ କାଇଁଚ ମାଳି   ।୧୬।

 

ଚଞ୍ଚଳତା କରି ଦୂର ଗୋ ସରୁ କାଇଁଚମାଳି

ଶାଶୂ ଶ୍ଵଶୁରଙ୍କୁ ସେବୁଥିବୁ ନିତି,

ମନେ ନ ବିଚାରି ପର ଗୋ ସରୁ କାଇଁଚ ମାଳି   ।୧୭।

 

ଛଳାଇ ନ କହି କଥା ଗୋ ସରୁ କାଇଁଚ ମାଳି,

ସରଳ ଆଶ୍ରୟ କରି ହୃଦୟରୁ,

ଛାଡ଼ ଛନ୍ଦ ମନ୍ଦ ଚିନ୍ତା ଗୋ ଗୋ ସରୁ କାଇଁଚ ମାଳି   ।୧୮।

 

ଜୀବନେ ରତନ ମିଳେ ଗୋ ସରୁ କାଇଁଚ ମାଳି,

ଜଗତ ଜନେ ଯା ପ୍ରଶଂସା କରନ୍ତି

ଅର୍ଜ ସେହି ପୁଣ୍ୟ ବଳ ଗୋ ସରୁ କାଇଁଚ ମାଳି   ।୧୯।

 

ଝଗଡ଼ା ବାଟେ ନ ପଶ ଗୋ ସରୁ କାଇଁଚ ମାଳି

ଈର୍ଷା ଅଭିମାନ ଦମ୍ଭ ବଡ଼ପଣ

ତେଜି ନିଃସ୍ଵାର୍ଥରେ ରସ ଗୋ ସରୁ କାଇଁଚ ମାଳି   ।୨୦।

 

ଅସାର ସଂସାର ଦୁଃଖ ଗୋ ସରୁ କାଇଁଚ ମାଳି,

ଅଧିକ ଲାଳସା ନ ବଳା ତହିଁରେ

ଦିନେ ଦେବ ସେହି ଦୁଃଖ ଗୋ ସରୁ କାଇଁଚ ମାଳି   ।୨୧।

 

ଟାଣ ପଣ ନ କରିବ ଗୋ ସରୁ କାଇଁଚ ମାଳି,

ଟାଣେ ଧରିଥିବ ଆତ୍ମୋଦ୍ଧାର ସୂତ୍ର

ଟଳି ଯିବା ଯାଏ ଜୀବ ଗୋ ସରୁ କାଇଁଚ ମାଳି   ।୨୨।

 

ଠଉରାଇ ରଖ ଚିତ୍ତେ ଗୋ ସରୁ କାଇଁଚ ମାଳି,

ଠକ ଲୋକଙ୍କର ପାଶରେ କେବେହେଁ

ଠିଆ ନୋହିବ ଏକା ଲୋ ସରୁ କାଇଁଚ ମାଳି   ।୨୩।

 

ଡାକି କହୁଅଛି ମୁହିଁ ଗୋ ସରୁ କାଇଁଚମାଳି,

ଡକାୟତ କେତେ ଜଗିଛନ୍ତି ପଥେ

ଧର୍ମେ ବାଧା ଦେବା ପାଇଁ ଗୋ ସରୁ କାଇଁଚ ମାଳି   ।୨୪।

 

ଢାଉରଙ୍ଗ ଏ ଦୁନିଆ ଗୋ ସରୁ କାଇଁଚ ମାଳି,

ଢମପଣ କତେ ଦେଖାଇବେ ତୋତେ,

ଦେଖି ନୋହେବୁ ଛାନିଆ ଗୋ ସରୁ କାଇଁଚମାଳି   ।୨୫।

 

ଅହିଂସା ଜାଗିଲେ ମନେ ଗୋ ସରୁ କାଇଁଚ ମାଳି,

ଅଳ୍ପକେ ପ୍ରାପତ ଗୁପ୍ତ ସତ୍ୟଧନ,

ହେବ ଆସି ସନ୍ନିଧାନେ ଗୋ ସରୁ କାଇଁଚ ମାଳି   ।୨୬।

 

ତରିବାକୁ ଏହି ଭବ ଗୋ ସରୁ କାଇଁଚ ମାଳି

ନାରୀମାନଙ୍କର ମୁଖ୍ୟ ଅଟେ ସେହି

ସ୍ଵାମୀପଦ ନାବ ଏକା ଗୋ ସରୁ କାଇଁଚମାଳି   ।୨୭।

 

ଥରେ ସ୍ଵାମୀ ଯା ବାରିବେ ଗୋ ସରୁ କାଇଁଚ ମାଳି

ଅଗ୍ରସର ନ ହୋଇବୁ ସେ କର୍ମରେ

ନ କରିବୁ ଆଉ କେବେ ଗୋ ସରୁ କାଇଁଚ ମାଳି   ।୨୮।

 

ଦୁଃଖ ଯଦି ଥାଏ ମନେ ଗୋ ସରୁ କାଇଁଚ ମାଳି,

ସବୁ ଭୁଲି ଯାଇ ହୋଇବୁ ନିର୍ମଳ-

-ମନା ସ୍ଵାମୀ ଦରଶନେ ଗୋ ସରୁ କାଇଁଚ ମାଳି   ।୨୯।

 

ଧରିବାକୁ ତାଙ୍କ ଦୋଷ ଗୋ ସରୁ କାଇଁଚ ମାଳି,

ନାହିଁ ଅଧିକାର ତହିଁକି ତୁମ୍ଭର,

ଏ ଘେନି ନୋହିବୁ ରୋଷ ଗୋ ସରୁ କାଇଁଚ ମାଳି   ।୩୦। .

 

ନଣନ୍ଦର ଯେତେ ଅଳି ଗୋ ସରୁ କାଇଁଚମାଳି,

ଶୁଣି ତାକୁ ସ୍ନେହାନ୍ତରେ ବୁଝାଇବୁ,

ମାଆଠୁ ଅଧିକ ବଳି ଗୋ ସରୁ କାଇଁଚ ମାଳି   ।୩୧।

 

ପରିଜନ ଦୁଃଖ ଗିର ଗୋ ସରୁ କାଇଁଚ ମାଳି,

ପ୍ରେମେ କର୍ଣ୍ଣପାତ କରି ଶଘ୍ର ତାହା-

ପାଇଁ କର ପ୍ରତିକାର  ଗୋ ସରୁ କାଇଁଚ ମାଳି   ।୩୨।

 

ଫୁଲାପଣେ କେହୁ ଆସିଗୋ ସରୁ କାଇଁଚ ମାଳି,

ଅଯଥା ପ୍ରଶଂସା କରିଲେ ତୁମର

ଚିହ୍ନିବ ସେ ଅବିଶ୍ଵାସୀ ଗୋ ସରୁ କାଇଁଚମାଳି   ।୩୩

 

ବସ୍ତ୍ର ଭୂଷଣ କାରଣେ ଗୋ ସରୁ କାଇଁଚ ମାଳି,

ଅଳି ନ କରିବ ଯାହା ଦେବ ସ୍ଵାମୀ

ଗ୍ରହିବ ଆନନ୍ଦ ପ୍ରାଣେ ଗୋ ସରୁ କାଇଁଚ ମାଳି   ।୩୪।

 

ଭୟ ରଖ ଶାଶୂ ପ୍ରତି ଗୋ ସରୁ କାଇଁଚ ମାଳି,

ଶାଶୂଟି ସ୍ଵାମୀର ପୂଜା ସିଂହାସନ

ଅଟଇ ସର୍ବ ସମ୍ପତ୍ତି ଗୋ ସରୁ କାଇଁଚ ମାଳି   ।୩୫।

 

ମଧୁର ବଚନ କହିଗୋ  ସରୁ କାଇଁଚ ମାଳି,

ପ୍ରତିବାସୀ ଜନେ ସନ୍ତୋଷ କରିବ

ଅଶାନ୍ତି ନୋହିବେ  କେହି ଗୋ ସରୁ କାଇଁଚ ମାଳି   ।୩୬।

 

ଯେତେ ଥିବେ ନରନାରୀ ଗୋ ସରୁ କାଇଁଚ ମାଳି,

ଭାଇ ଭଉଣୀର ସ୍ନେହରେ ଦେଖିବ

ପରିହାସ ଯେ ନକରି ଗୋ ସରୁ କାଇଁଚ ମାଳି   ।୩୭।

 

ରଖିବ ସଦା ସ୍ମରଣ ଗୋ ସରୁ କାଇଁଚ ମାଳି,

ଅବସର ଦେବ ନାହିଁ ନେତ୍ର ପଥେ

ପରଫୁସ ନିରୀକ୍ଷଣ ଗୋ ସରୁ କାଇଁଚ ମାଳି   ।୩୮।

 

ଲକ୍ଷ୍ୟ ଦିଅ ଧର୍ମ କର୍ମେ ଗୋ ସରୁ କାଇଁଚ ମାଳି

ନିଜ ସମାଜର ଉନ୍ନତି କଳ୍ପନା,

କରୁଥାଅ ମର୍ମେ ମର୍ମେ ଗୋ ସରୁ କାଇଁଚ ମାଳି   ।୩୯।

 

ବେଦର ନିୟମ ମାନି ଗୋ ସରୁ କାଇଁଚ ମାଳି,

ଅତିଥି ସତ୍କାର ଗୁରୁ ସେବା ଆଦି

ଦୀକ୍ଷ ଶିକ୍ଷା  ମାନ ଘେନି ଗୋ ସରୁ କାଇଁଚ ମାଳି   ।୪୦।

 

ସାବିତ୍ରୀ ସୀତାଙ୍କ ପରି ଗୋ ସରୁ କାଇଁଚ ମାଳି,

ହୋଇ ସବୁ ନାରୀ ସ୍ଵଯଶ ବିସ୍ତାରି

ରଖିଥାଅ ବାହାଦୁରି ଗୋ ସରୁ କାଇଁଚ ମାଳି   ।୪୧।

 

ସରସ ହୃଦୟ ଯାର ଗୋ ସରୁ କାଇଁଚ ମାଳି,

ସରଗ ସମାନ ଅଟଇ ତା ଗୃହ

ଲକ୍ଷ୍ମୀ ଥାନ୍ତି ତାର ପୁର ଗୋ ସରୁ କାଇଁଚ ମାଳି   ।୪୨।

 

ହାନି ଲାଭ ଭଲ ମନ୍ଦ  ଗୋ ସରୁ କାଇଁଚ ମାଳି,

ହରଷରେ ସବୁ ସହି ଯେ ପାରିବ,

ହୋଇବ ସେହି ନିର୍ଦ୍ଵନ୍ଦ୍ୱ ଗୋ ସରୁ କାଇଁଚ ମାଳି   ।୪୩।

 

କ୍ଷମା ଦିଅ ଦୋଷୀ ଜନେ ଗୋ ସରୁ କାଇଁଚ ମାଳି

ଖରାପ ନୁହଇ ପର  ଉପକାର

କ୍ଷୁଦ୍ର ବାଇକୁଣ୍ଠ ଜାଣେ ଗୋ ସରୁ କାଇଁଚ ମାଳି   ।୪୪।

 

ମାତୃବୋଧ ଗୀତିକା

(୧୦) କହିବି ମୁଁ ସତ କଥାଟି ଶୁଣ

 

କହିବି ମୁଁ ସତ କଥାଟି ଶୁଣ ମା’ ଗୋ ମୋର

ଆନମନା ନୋହି ଧୀର  ଚିତ୍ତେ ଶୁଣି

ଶେଷେ ଦେଉଥିବୁ ହୁଁଟି ଶୁଣ…   ।୧।

 

ସଅଳେ ସକାଳୁ ଉଠିବୁ, ଶୁଣ ମା’ ଗୋ ମୋର

ତେଜି ଆନ କଥା ହେଜି ଶୁଭ ଚିନ୍ତା

କୃଷ୍ଣ ନାମ ହୃଷ୍ଟେ ରଟିବୁ, ଶୁଣ…   ।୨।

 

ଜଣାଇ ବିଭୁଙ୍କ ଆଗରେ, ଶୁଣ ମା’ ଗୋ ମୋର

ଅଳସକୁ ଛାଡ଼ି କର୍ତ୍ତବ୍ୟ ନହୁଡ଼ି

ଚଳ ନୀତି ସଦାଚାରରେ, ଶୁଣ…..   ।୩।

 

କରିଲେ ମଙ୍ଗଳ ଚିନ୍ତା ଗୋ, ଶୁଣ ମା’ ଗୋ ମୋର

ନିଶ୍ଚେ ତୋ ଜଣାଣ ଶୁଣିବେଟି ଦିନେ

ସେ ବିଶ୍ଵ ପରମ ପିତା ଗୋ ଶୁଣ…..   ।୪।

 

ଶାଶୂ ଶ୍ଵଶୁରଙ୍କୁ ତୋର ଗୋ ଶୁଣ ମା’ ଗୋ ମୋର,

କାଳେ କେବେହେଲେ ନ କରିବୁ ଭୁଲେ,

ପର ଭାବି ହତାଦର ଗୋ, ଶୁଣ…   ।୫।

 

କରିବୁ ସାତ୍ତ୍ଵିକ ରନ୍ଧନ ଶୁଣ ମା’ ଗୋ ମୋର

ଯେ ଖାଦ୍ୟ ଭୋଜନେ ଧର୍ମ ସତ ଗୁଣେ,

ହେବ କାମ ଭାବ ଦହନ ଗୋ ଶୁଣ…   ।୬।

 

ଶଉଚ ପବିତ୍ର ହୃଦେ ଗୋ, ଶୁଣ ମା’ ଗୋ ମୋର

ସେବା ପରାୟଣ ତୋହର ଜୀବନ

ବୁଝି ସେବିକୁ ଆନନ୍ଦେ ଗୋ ଶୁଣ…   ।୭।

 

ପତିଙ୍କୁ ଦେବତା ମଣିଗୋ, ଶୁଣ ମା’ ଗୋ ମୋର

ତାଙ୍କ ସେବା ତୋର ମୁକତି ମାତର

ସ୍ନେହେ  ନେବୁ ତାଙ୍କୁ କିଣି ଗୋ ଶୁଣ…   ।୮।

 

ବିନୟ ବଚନ କହିବ, ଶୁଣ ମା’ ଗୋ ମୋର

ନିଜ ପରିବାର ସାହି ପଡ଼ିଶାର

ସବୁରି ମନକୁ ପାଇ ଗୋ ଶୁଣ…   ।୯।

 

ପରିଷ୍କାର  ପରିଚ୍ଛନ୍ନତା, ଶୁଣ ମା’ ଗୋ ମୋର

ରଖିଥିଲେ ତୋର ବାହାର ଭିତର

ଲୋଭାଇ ଆସିବେ ଦେବତା ଶୁଣ…   ।୧୦।

 

ସୁରୁଚି, ସୁନୀତି  ଧରି ଗୋ, ଶୁଣ ମା’ ଗୋ ମୋର

ଚଳିଲେ ସଂସାରେ ଜନ ସମାଜରେ

ମାଆ ହେବୁ ସବୁଙ୍କର ଗୋ ଶୁଣ…   ।୧୧।

 

ପୁଅ ଝିଅଙ୍କର କାନରେ, ଶୁଣ ମା’ ଗୋ ମୋର

ନିତି ସତ୍‌ ଶାସ୍ତ୍ର କହୁଥିବୁ ମାତ

ନ ମାତିବେ ଯେହ୍ନେ ଆନରେ ଶୁଣ…   ।୧୨।

 

ଅସାର ସଂସାର ଲାଳସା ଶୁଣ ମା’ ଗୋ ମୋର

ନ ହୋଇ ଭରମ ସାର ବିଭୁ ପ୍ରେମ

ଭାବରେ ରଖିବୁ ଭରସା ଶୁଣ…   ।୧୩।

 

ଜଗତେ ଯେତେକ ସ୍ଵରୂପ ଶୁଣ ମା’ ଗୋ ମୋର

ଈଶ୍ଵରଙ୍କ ଅଂଶ ସବୁଠି ପ୍ରକାଶ

ଗୋପନେ ଚିନ୍ତିବୁ ତୋ ଚିତ୍ତ ଶୁଣ…   ।୧୪।

 

ପ୍ରେମ ବିନେ କ୍ଷୁଦ୍ର କାମନା ଶୁଣ ମା’ ଗୋ ମୋର

ସ୍ଥାନ ଦେବୁ ନାହିଁ ମନେ କେବେ ତୁହି

ଦେବ ସେ ବିଷମ ଯାତନା ଶୁଣ….   ।୧୫।

 

କେବେହେଁ ନ ହେବୁ ବିମନ, ଶୁଣ ମା’ ଗୋ ମୋର

ଧରମ କରମ ଭକ୍ତି ଶାସ୍ତ୍ର ଧର୍ମ

ଜାଣି ପାଳ ସାରା ଜୀବନ ଶୁଣ….   ।୧୬।

 

ପ୍ରଭୁ ପାଦେ ମଥା ନୁଆଁଅ, ଶୁଣ ମା’ ଗୋ ମୋର

ଶରଣ ରକ୍ଷଣ ସବୁରି କାରଣ

ସେ ନାମେ ସେନେହ ବଳାଅ- ଶୁଣ…   ।୧୭।

 

ସଫଳ କର ତୋ ନେତ୍ରକୁ ଶୁଣ ମା’ ଗୋ ମୋର

ସଜଳ ଜଳଦ କାନ୍ତି ଛନ୍ଦାପଦ

ଦେଖ ସେ ଯଶୋଦା ସୂତକୁ ଶୁଣ….   ।୧୮।

 

ପବିତ୍ର ହେବ ତୋ ଶ୍ରବଣ ଶୁଣ ମା’ ଗୋ ମୋର

ହରେ କୃଷ୍ଣ ରାମ ନାମେ ଦେଇ ମନ

ନିତି ଶୁଣ ଥରେ ଥରେ ଗୋ ଶୁଣ…   ।୧୯।

 

ସୁଖେ ରାମ ବୋଲି ଉଚ୍ଚାର, ଶୁଣ ମା’ ଗୋ ମୋର

ମୃତ୍ୟୁ ସମୟରେ ଆସିବ କାମରେ

ହଟିବେ ଯମ ଡଗର ଶୁଣ…   ।୨୦।

 

ହାତେ ଆରାଧନା କରିବୁ, ଶୁଣ ମା’ ଗୋ ମୋର

ଲୟାଙ୍ଗ ମୂରତି ଅନ୍ତରରେ ଚିନ୍ତି

ଏ ମାୟା ସଂସାର ତରିବୁ ଶୁଣ…   ।୨୧।

 

ସୁମରି ଶ୍ରୀହରି ପାଦାକୁ, ଶୁଣ ମା’ ଗୋ ମୋର

ସଂଧ୍ୟା ପରେ ତୁହି ସୁସ୍ଥେ ଯିବୁ ଶୋଇ

ଲଭିଣ ସୁଖ ସୁନିଦକୁ ଶୁଣ…   ।୨୨।

 

ସମରପି ସବୁ ତା ପାଦେ, ଶୁଣ ମା’ ଗୋ ମୋର

ସୁନାର ସଂସାର ଗଢିଣ ତୋହର

କାଳ ତୁ କାଟିବୁ ଆନନ୍ଦେ ଶୁଣ…   ।୨୩।

 

ହୋଇଣ ଆଦର୍ଶ ଗୃହିଣୀ , ଶୁଣ ମା’ ଗୋ ମୋର

ସତ୍ୟ, ଶନ୍ତି, ଶିକ୍ଷା, ଗୁରୁମନ୍ତ୍ର ଦୀକ୍ଷା

ଶିଖି ଶିଖାଇବୁ ତୁ ପୁଣି ଶୁଣ…   ।୨୪।

 

ଠେଲି ଦିଅ କ୍ରୋଧ ଅନ୍ଧକୁ, ଶୁଣ ମା’ ଗୋ ମୋର

ହେବ ସେ ବଇରୀ ପରାଣେ ତୋହରି

ସତପଥେ ଦେବ ବାଧା ଗୋ ଶୁଣ…   ।୨୫।

 

ମୋ କଥାରେ ମନ  ମାନିଲେ ଶୁଣ ମା’ ଗୋ ମୋର

କରି ଆଚାରଣ, ଅରଜିବୁ ପୁଣ୍ୟ

ଧନ୍ୟ ହେବି ମୁହିଁ ଶୁଣିଲେ ଶୁଣ…   ।୨୬।

 

ଚଳିଲେ ଏହି ନିୟମରେ , ଶୁଣ ମା’ ଗୋ ମୋର

ତୋ ଗୃହସ୍ଥାଶ୍ରମ, ହେବ ମନୋରମ

ମିଶିବ ଋଷି ଆଶ୍ରମରେ ଶୁଣ…   ।୨୭।

 

ପିଲାକଥା କାଳେ ଭାବିବୁ , ଶୁଣ ମା’ ଗୋ ମୋର

ନୁହେଁ ଏ ମୋହର ପୂର୍ବ ପୁରୁଷର

ବେଦ ଶାସ୍ତ୍ର ଖୋଜି ଦେଖିବୁ ଶୁଣ...    ।୨୮।

 

ତେବେ ତୋର ମନେ ବୁଝିବୁ , ଶୁଣ ମା’ ଗୋ ମୋର

ମିଛ କିବା ସତ ଜାଣିବୁ ନିଶ୍ଚିତ

ମନେ ମନେ ମୋତେ ହେଜିବୁ, ଶୁଣ...    ।୨୯।

 

ସରଳେ ତୋ ଆଗେ ଗାଇଲି , ଶୁଣ ମା’ ଗୋ ମୋର

ବଇଆ ପାଗଳା ତୋର ଅତି ଗେହ୍ଲା

ଦୋଷ ନଧରିବୁ କହିଲି ଶୁଣ...    ।୩୦।

 

ଆଜି ଏତିକିରେ ଥାଉଟି, ଶୁଣ ମା’ ଗୋ ମୋର

ହୀନ ଅଯୋଗ୍ୟକୁ, ଦୀନ ବୈକୁଣ୍ଠକୁ

ମନୁ ଭୁଲିଯିବୁ ନାହିଁଟି ଶୁଣ..   . ।୩୧।

 

ସ୍ଥିତପ୍ରଜ୍ଞ ଲକ୍ଷଣ

(୧୧) କେଶବଙ୍କ ଶ୍ରୀଚରଣେ ପଡ଼ିଣ

 

କେଶବଙ୍କ ଶ୍ରୀଚରଣେ ପଡ଼ିଣ

ବିନୟରେ ପଚାରଇ ଅର୍ଜୁନ    ।୧।

 

ଆହେ ଦୀନନାଥ ଦୀନ ତାରଣ,

ମୋତେ କୁହ ସ୍ଥିତପ୍ରଜ୍ଞ ଲକ୍ଷଣ,    ।୨।

 

କେଉଁ ଭାଵେ ସେ ଚଳନ୍ତି ସଂସାରେ,

ଜାଣି ପାରିବି ତାଙ୍କୁ କି ପ୍ରକାରେ   ।୩।

 

ମୋର ମନରେ ସଂଶୟ ହେଉଛି,

ବୁଝାଇଣ ଦିଅ ଆହେ ଶ୍ରୀବତ୍ସି   ।୪।

 

ପାର୍ଥ ଆଗ୍ରହ ଜାଣିଣ ଶ୍ରୀହରି,

କହୁଛନ୍ତି, ଶୁଣ ଗାଣ୍ଡିବ ଧାରୀ   ।୫।

 

ଆଶା, ତୃଷ୍ଣା, ଅଭିଳାଷ ଯାହାର,

ଅନ୍ତର୍ଗତରୁ ହୋଇଅଛି ଦୂର   ।୬।

 

ଦୁଃଖେ ସୁଖେ ବିଚଳିତ ନୁହଇ,

କ୍ରୋଧ ଆସକ୍ତି ମନେ ଯା ନଥାଇ   ।୭।

 

ଧନ, ଐଶ୍ଵର୍ଯ୍ୟ, ପୁତ୍ର ପରିବାରୁ,

ମମତାଟି ହଟିଛି ଯା ଛିତ୍ତରୁ   ।୮।

 

ଆତ୍ମାରେ ହିଁ ଯେହୁ ସଦା ସନ୍ତୁଷ୍ଟ,

ତାକୁ ବୋଲି ସମାଧି ବ୍ରହ୍ମ ନିଷ୍ଠ   ।୯।

 

କଚ୍ଛପ ପରି ଯେ ବୁଦ୍ଧି ଖଟାଏ ,

ଇନ୍ଦ୍ରିୟାଦିଙ୍କୁ ବଶ କରି ନିଏ   ।୧୦।

 

ଆତ୍ମା ଭାବରେ ଲଭଇ ଆନନ୍ଦ,

ସେହୁ ନିଜେ ଲଭଇ ବିଭୁପାଦ   ।୧୧।

 

ପୀଡ଼ା ହେତୁ ଯା ପ୍ରକୃତି ଦମନ,

ତାହା ଅଯଥା ଜାଣିବୁ ଅର୍ଜୁନ   ।୧୨।

 

ଈଶ୍ଵର ଦର୍ଶନେ ଯେହୁ ସଂଯମ,

ନିଶ୍ଚେ ଅଟେ ସେ ଉନ୍ନତିର ଚିହ୍ନ   ।୧୩।

 

ଦୁଷ୍ଟ ଇନ୍ଦ୍ରିୟେ ବାଞ୍ଛନ୍ତି ବିଷୟ,

ତହିଁରୁ ଆସକ୍ତି ହୁଏ ଉଦୟ   ।୧୪।

 

କାମାଭିଳାଷ ଅଟେ ତାର ସାଥୀ,

ବାଧା ପାଇଲେ କ୍ରୋଧ ଉତପତି   ।୧୫।

 

ଘୋଟିଯାଏ ଆସିଣ ତହୁଁ ମୋହ,

ଶେଷେ ପତନ ଘଟଇ ନିଶ୍ଚୟ   ।୧୬।

 

ତେଣୁ ଜ୍ଞାନୀ ଜନେ ଜ୍ଞାନେ ବିଚାରି,

ଅନୁରାଗ ବିଦ୍ଵେଷ ମନେ ଧରି   ।୧୭।

 

ପ୍ରକୃତି ମାନ କରିଣ ଆୟତ୍ତ,

ବିଷୟରେ ବିହରନ୍ତି ସତତ   ।୧୮।

 

ଚିତ୍ତ ପ୍ରସନ୍ନତା ଲାଭ ସେ କରି,

ଥାନ୍ତି ନଳିନୀ ଦଳେ ଜଳ ପରି   ।୧୯।

 

ଚିତ୍ତ ପ୍ରସନ୍ନତା ଯେବେ ନ ହେବ,

ବ୍ରହ୍ମଜ୍ଞାନ କାହୁଁ ହୃଦେ ଜାଗିବ ?   ।୨୦।

 

ଆତ୍ମାଧ୍ୟାନ ବ୍ୟତୀତ ଶାନ୍ତି ନାହିଁ,

ବ୍ରହ୍ମଦର୍ଶୀ ବ୍ୟକ୍ତି ଏହା ଜାଣଇ   ।୨୧।

 

ତେଣୁ ସାଂସାରିକ ସୁଖେ ସେ ସୁପ୍ତ,

ଅଜ୍ଞାନୀ ବ୍ରହ୍ମନିଷ୍ଠେ ଅସମର୍ଥ   ।୨୨।

 

ଅବିବେକୀ ପକ୍ଷେ ଅଟେ ଯେ ଦିନ,

ସମାଧିସ୍ଥ ମଣେ ରାତ୍ରି ସମାନ   ।୨୩।

 

ସମୁଦ୍ର ପରି ଜ୍ଞାନୀଙ୍କ ହୃଦୟ,

ସବୁ ଆତ୍ମାରେ ତାର ହୁଏ ଲୟ,   ।୨୪।

 

ସର୍ବ ସମ୍ପୂର୍ଣ୍ଣେ ବାସନା ଭୁଲଇ

ଜୀବନ ପ୍ରତି ବୀତଶ୍ରଦ୍ଧ ହୋଇ   ।୨୫।

 

ପର ଆପଣା ଭେଦଭାବ ଭୁଲି,

ଘୋର ସଂସାରେ ଯାଉଥାଏ ଚଳି   ।୨୬।

 

ସେ ନିର୍ବାଣ ଚରି ଶାନ୍ତି ଲଭଇ,

ସମାଧିସ୍ଥ ଜନ ଏହାକୁ କହି   ।୨୭।

 

ଜୀବନର ଅନ୍ତିମ ଅବସ୍ଥାରେ,

ଯେ ମନୁଷ୍ୟ ଥାଏ ଏହି ଭାଵରେ   ।୨୮।

 

ବ୍ରହ୍ମ ନିଷ୍ଠାରେ ଥିବାରୁ ତା ମନ,

ଆତ୍ମା ପରମ ବ୍ରହ୍ମେ ହୁଏ ଲୀନ   ।୨୯।

 

ବ୍ରହ୍ମ ସଂସ୍ଥାପନ ନାମ ଏହାର.

ହେତୁ ରଖିଥାଅ କୁନ୍ତୀ କୁମର   ।୩୦।

 

(୧୨) କୋଟି ସୃଷ୍ଟି କର୍ମ କରତା

 

କୋଟି ସୃଷ୍ଟି କର୍ମ କରତା ଆହେ କମଳାବର,

କାତର କର୍ଣ୍ଣେ କହୁଅଛି କର୍ଣ୍ଣେ ଶୁଣ ମୋ ଗିର   ।୧।

 

କଣ୍ଟକିତ ଦୁଃଖେ ସଂସାରେ ସାର ନ ପାଇ କିଛି,

କଳଙ୍କି ଲୀଳାକୁ ଅନାଇ ବସିଅଛି ଶ୍ରୀବତ୍ସୀ   ।୨।

 

କାଳ ଖଡ଼ଗେ କନ୍ଧ ଛିଡ଼ାଅ ନାହିଁ ଭୀତି ତହିଁକି,

କଳା ଅଶ୍ଵ ପୃଷ୍ଠେ ଦେଖିବି ବିନତୀ ମୋ ଏତିକି   ।୩।

 

କଳ୍ପଣା ମୋ ନାହିଁ ମାଗିବି ଧନ ରତନ ତୋତେ,

କରିବି ଦର୍ଶନ କେବଳ କହୁଅଛି ମୁଁ ଏତେ   ।୪।

 

ଲକ୍ଷ ଲକ୍ଷ ଲଜ୍ୟା ଲାଞ୍ଛନା ଲେଖିଦିଅ ଲଲାଟେ ,

ଲୟାଙ୍ଗ ସୂତ୍ର ଗୋଟି ଯେହ୍ନେ ହୃଦୁ ଲବେ ନତୁଟେ   ।୫।

 

ଲାବଣ୍ୟ ମୂରତି ଲକ୍ଷ୍ୟରେ ନାଚୁଥିଲେ ସର୍ବଦା,

ଲହରି ପରି ଯିବ ଚାଲି ମୋର ସକଳ ବାଧା   ।୬।

 

ଲାଞ୍ଚୁଆ ନହୁଅ ମୋ ପାଇଁ ଆହେ ଲବଣି ଚୋର,

ଲଞ୍ଛନା ଭୋଗିବ ପଛରେ ନାହିଁ ଦୋଷ ମୋହର   ।୭।

 

ଲଭି ନ ପାରିଣ ତୁମ୍ଭଙ୍କୁ ଲୟ ହୋଇଲେ ପ୍ରାଣ,

ଲଜ୍ଜିତ ହୋଇବ ଜଗତେ ନିନ୍ଦା ରଟିବ ଜାଣ   ।୮।

 

କିସ ଜ୍ଞାନ ଧ୍ୟାନ କରିବି କେଉଁ ନାମଟି ସାର,

କି ପ୍ରକାର ତାକୁ ସାଧିବି କର୍ମେ ନାହିଁତ ମୋର,   ।୯।

 

କି ଆସନ ଧରି ବସିବି କିସ ଭଜନ କରି ,

କି ରୂପେ ମନକୁ ମଜ୍ଜାଇ ମର୍ତ୍ତ୍ୟୁ ଯିବି ମୁଁ ମରି   ।୧୦

 

କି ସ୍ଵରୂପେ ଯାଇ କାହିଁରେ ଲୀନ ହୋଇବ ଜୀବ,

କିଞ୍ଚିତରେ କରି କରୁଣା ମୋତେ ବତାଇ ଦେବ   ।୧୧।

 

କିଛି କର୍ମ ଧର୍ମ ନ ଜାଣେ କରି ଖାଣ୍ଟୁଆ ପଣ,

କୀର୍ତ୍ତି ଶୁଣି ତବ ପାଦରେ କେବଳ ମୋ ଶରଣ   ।୧୨।

 

ଲିହିଥିବ ଯାହା କରମେ ଭୋଗିବି ମୁଁ ଅବଶ୍ୟ,

ଲୋଡ଼ିଲେ ବା କାହୁଁ ପାଇବି ସେ ମୋ କରମ ଦୋଷ   ।୧୩।

 

ଲବ ନିମିଷେତ ମୋ ମନ କାହିଁରେ ଲାଗୁନାହିଁ,

ଲୋଟି ଯାନ୍ତି ପାଦତଳରେ ଯେବେ ପାଆନ୍ତି ମୁହିଁ   ।୧୪।

 

ଲୁଟି କରି ଦ୍ୟନ୍ତି ପରାଣ ପିଣ୍ଡ ଅଛି ମୋ ଯାହା,

ଲଲାଟ ପଟରେ ଥରେକି ସତେ ଘଟିବ ଏହା   ।୧୫।

 

ଲାଗିଥାଉ ମୋର ଜଣାଣ ଏହିପରି ତୁମ୍ଭଙ୍କୁ,

ଲୁଣ୍ଠିନିଅ ପ୍ରଭୁ ବୈକୁଣ୍ଠ ମୋହ ଗର୍ବ ଦମ୍ଭଙ୍କୁ   ।୧୬।

 

(୧୩) ମରତେ ମାନବ ଆସି

 

ମରତେ ମାନବ ଆସି, ସୁଖ ଅଭିଳଷେ ଯାଆନ୍ତି ଭାସି ଗୋ,

ପ୍ରେମ ବଉଳ, କର୍ତ୍ତବ୍ୟ ପଥେ ନରସି   ।୧।

 

ପାସୋରିଣ ବିଭୁନାମ, ଖେଳ କଉତୁକେ କଟାନ୍ତି ଦିନ ଗୋ, ପ୍ରେମ ବଉଳ

ହୁଡ଼ନ୍ତି ଧରମ କର୍ମ    ।୨।

 

ଜ୍ଞାନର ଉନ୍ନତି ପାଇଁ, ପ୍ରେରିଛନ୍ତି ଏଥେ ଜଗତ ସାଇଁ ଗୋ,

ପ୍ରେମ ବଉଳ, ମନେରଖ ତାଙ୍କୁ ତହିଁ   ।୩।

 

ସଂସାର ରଙ୍ଗ ପସରା, ଚାହୁଁ ଚାହୁଁ କ୍ଷଣେ ସରିବ ପରା ଗୋ,

ପ୍ରେମ ବଉଳ, ଶୋକରେ ହେବୁ ଅଧୀର   ।୪।

 

ଗୃହ ଗୃହସ୍ଥକୁ ଚିହ୍ନ , ନଥିବଟି ଦୁଃଖ ଅନ୍ତିମେ ପୁଣ ଗୋ,

ପ୍ରେମ ବଉଳ, କେବେହେ ନୋହିବୁ ଭ୍ରମ   ।୫।

 

ଚେତନ କରି ଜାଗ୍ରତ, ନିଃସ୍ଵାର୍ଥ  ପ୍ରେମରେ ମଜ୍ଜ ସନ୍ତତ ଗୋ,

ପ୍ରେମ ବଉଳ, ଦୃଶ୍ୟ ହେବ ମୁକ୍ତି ପଥ   ।୬।

 

ଅନାସକ୍ତି ଭାଵ ଧରି, ସମସ୍ତଙ୍କୁ ଦେଖ ନିଜର ପରି ଗୋ,

ପ୍ରେମ ବଉଳ, ଭାବୁଥିବେ ନରନାରୀ   ।୭।

 

ଦୁଇ ଦିନିଆ ଏ ବସା, ଯିବା ଆସିବାଟି ଜୀବର ପେଷାଗୋ,

ପ୍ରେମ ବଉଳ , ଅନର୍ଥେ ନବଳା ଆଶା   ।୮।

 

ପ୍ରବୃତ୍ତିର ମାର୍ଗ ଏଡ଼ି, ନିବୃତ୍ତି ଦରଜା ଦିଅତୁ ଫେଡ଼ିଗୋ,

ପ୍ରେମ ବଉଳ, ଯାଉ ସବୁ ମାୟା ପୋଡ଼ି   ।୯।

 

ସତ୍ୟକୁ ଦୃଢ଼ରେ ଧର, ସେହି ବ୍ରତେ ପ୍ରାଣ ହେଲେ ଅନ୍ତର ଗୋ,

ପ୍ରେମ ବଉଳ, ମିଶିବୁ ସତ୍ୟ ସଙ୍ଗର   ।୧୦।

 

(୧୪) ଆତ୍ମାରେ ଆମ୍ଭର ରହିଛ ହେ ପ୍ରଭୁ

 

ଆତ୍ମାରେ ଆମ୍ଭର ରହିଛ ହେ ପ୍ରଭୁ ଡାକିଲେ ନକହ କଥା

କିବା ଅପରାଧ ହେଖି ଆଦିକନ୍ଦ ଦେଉଥାଅ ପ୍ରାଣେ ବ୍ୟଥା   ।୧।

 

ଅନ୍ତର ବେଦନା ଜାଣିବାରୁ ସିନା ଅନ୍ତର୍ଯ୍ୟାମୀ ବୋଲାଇଛ,

ଅନୁଗତ ଭକ୍ତ ଅନୁସରିସ୍ଥିତ ଆତୁରରେ ଶୀରୀବତ୍ସ   ।୨।

 

କଉତୁକେ ଲୀଳା କାରି ନାନା ଖେଳା ଅଦୃଶ୍ୟରେ ଅଛ ବସି,

ନଶ୍ଵର ମାନବ ଅଭିମାନ ଦମ୍ଭ ଦେଖି ମନେ ହୁଅ ଖୁସି   ।୩।

 

ଯୋଗୀ, ଋଷି, ମୁନି, ବ୍ରହ୍ମଚାରୀ, ଜ୍ଞାନୀ ଆୟତ୍ତ ନାହିଁ କାହାରି,

କରାଉଛ ଯାହା କରୁଥାନ୍ତି ତାହା ତୋର ଆଜ୍ଞା ଶିରେ ଧରି   ।୪।

 

କରମ କ୍ଷେତ୍ରକୁ ପଠାଇ ଆମ୍ଭଙ୍କୁ ଦେଇଛ କରମ ବାଣ୍ଟି ,

କେହୁ ଅଟେ ସୀସା କାରେ ଭେଲ ମିଶା କାହାର ବା ସୁନା ଖାଣ୍ଟି   ।୫।

 

କେ କାହାର ପିତା କେ କାହାର ମାତା, କେ କାହାର ବନ୍ଧୁ ଭାଇ,

ତୁମ୍ଭେ ଛାଡ଼ିଗଲେ କ୍ଷଣକ ମଧ୍ୟରେ ନ ଛୁଇଁବେ ଆଉ କେହି   ।୬।

 

ପଞ୍ଚ ମହାଭୂତ ସର୍ବେ ତୋ ଆୟତ୍ତ ସବୁରି ଜନମ ଦାତା,

ଆହେ ବିଶ୍ଵଗୁରୁ ତୋ ମାୟା ସଂସାରୁ ତୁହି ଏକା ଉଦ୍ଧାରନ୍ତା   ।୭।

 

ଆଜ୍ଞା ନ ପାଇଲେ ତିରଣ ନ ହଲେ ସମୀରଣ ନ ଚଳଇ,

ଭକ୍ତିର କିଙ୍କର ତୁମ୍ଭେତ ଭକ୍ତର ଅଧମ ପାଇବେ କାହିଁ   ।୮।

 

ନ ଚାହିଁଲେ ଦଣ୍ଡେ ସରିଯିବ ଚାଣ୍ଡେ ଏ ଭବ ସଂସାର ହାଟ ,

ତୁମ୍ଭେ ସାହା ଯାର ଫିଟିଯିବ ତାର ଅମର ପୁରକୁ ବାଟ   ।୯।

 

କରିଣ କରୁଣା କଲେ ବୁଝାମଣା ପାପ ଦର୍ପ ହେବ ଚୂର

ବିଶ୍ଵନରନାରୀ ସୁପୁଣ୍ୟ ଆଚାରି ଘୋଷିବେ ଯଶ ସତ୍ୟର   ।୧୦।

 

ସତ୍ୟ ରଜ୍ଜୁ ଆଣ୍ଟେ ବାନ୍ଧି ଆମ୍ଭକଣ୍ଠେ କୃପାରେ ଦିଅ ଓଟାରି

ସର୍ବସ୍ଵ ଅର୍ପଣ କରି ଶ୍ରୀ ଚରଣ ହେବୁ ସତ୍ୟ ଅଧିକାରୀ   ।୧୧।

 

(୧୫) ଆଜି ଏକି ସ୍ଵନ ଶୁଭିଲା

 

ଆଜି ଏକି ସ୍ଵନ ଶୁଭିଲା କାନେ ଗୋ ଅନ୍ତର ଦହିଲା ମୋର,

ଶୁଣିଲା ମାତ୍ରକେ ବୁଦ୍ଧି ହଜିଗଲା ଜାଗ୍ରତ ରହିଲା ସ୍ଵର   ।୧।

 

ଅଜଣା ରାଇଜେ ଜ୍ଞାନ ବୀଣା ତାରେ କିଏ ଦେଲା ହାତ ମାରି,

କର୍ମ, ଭକ୍ତି, ପ୍ରେମ କରାଇଣ ଭ୍ରମ ତ୍ରିଭୁବନେ ଗଲା ପୂରି   (୨)

 

ଆଜନମୁଁ କାଳେ ଶୁଣିତ ନଥିଲି ନଥିଲା ଏପରି ଜଣା

ଆତ୍ମା ରାଇଜରୁ କାମ, କ୍ରୋଧ, ମୋହ ସବୁ କରିଦେଲା ବଣା   ।୩।

 

ନିକଟରେ ଥିଲେ ଧାଇଁ ଯାଇଥାନ୍ତି ଅଛି କେଉଁ ଦୂରବନେ,

ତଥ୍ୟ ନ ପାଇଣ ଝଞ୍ଜକାରେ ପଡ଼ି ସରିଲିତ ମନେ ମନେ   ।୪।

 

ଶ୍ରୁତିରେ ବାଜନ୍ତେ ତାର ଲହରି ଗୋ ପାସୋରିଲି ଘରଦ୍ଵାର

କେଉଁ ନୂଆଦେଶ ପ୍ରବେଶିଲା ପ୍ରାଏ ମୋତେ ତ ହେଲା ଗୋଚର   ।୫।

 

ନିଦ୍ରିତ, ଚେତନ, ବିବେକ, ସୁକର୍ମ, ସରବେ ଉଠିଲେ ଚେଇଁ,

ଦମ୍ଭ, ଅହଂକାର ପ୍ରକୃତି ଆଦିଏ ସ୍ଵନ ଶୁଣି ଗଲେ ଶୋଇ   ।୬।

 

ଶୟନେ, ସ୍ଵପନେ, ଆସନେ ଧିଆନେ ସବୁବେଳେ ମୋର କାନେ,

ସେହି ନାଦ ଆସି ଡାକିଦେଲା ପରି ଜାଣିଣ ଆଶ୍ଚର୍ଯ୍ୟ ମଣେ   ।୭।

 

ପଶୁ, ପକ୍ଷୀ କଣ୍ଠେ ଯମୁନାର ତଟେ ଗଗନେ ପବନେ ପୁଣି,

ବିଶ୍ଵ ରନ୍ଧ୍ରେ ରନ୍ଧ୍ରେ ମିଶିତ ଯାଇଛି ବ୍ୟାପିଛି ସାରା ମେଦିନୀ   ।୮।

 

ତାହା ନଥିବାର ସ୍ଥାନ ଖୋଜି  ଖୋଜି ନ ପାଉଛି ଲେଶମାତ୍ର

ନଥିଲେଟି ସେହି ଏହି ରଙ୍ଗ ଭୂଇଁ ବୋଲାଇବ ଅପବିତ୍ର   ।୯।

 

ଥରେ ଯେ ବାରିବ କେବେ ନ ଭୂଲିବ ଥିବାଯାଏ ଦେହେ ପ୍ରାଣ

ପରମରେ ଜୀବ ନିଶ୍ଚେ ମିଶିଯିବ ପାଇ ସେ ମଧୁର ନାମ   ।୧୦।

 

ନ ରହିବ ଭୟ ହେବ ସେ ନିର୍ଭୟ ନଥିବ ତା ମିତ୍ର ଅରି

ସତ, ରଜ, ତମ କରି ଅତିକ୍ରମ ତ୍ରିଗୁଣରୁ ଯିବ ତରି   ।୧୧।

 

ହୋଇଣ ନିର୍ଗୁଣ ନିର୍ବିଘ୍ନରେ ଲୀନ ହେବ ନିରାକାର ଠାରେ

ଗୁରୁ କୃଷ୍ଣ ଦୟା ଲଭିଣ ସେ ରାହା ପାଇବ ସରଗ ଦ୍ଵାରେ   ।୧୨।

 

ହେ ଦୂର ବିଦେଶୀ ବଜାଇଣ ବଂଶୀ ଶୁଣ, ନିତି ଥରେ ଥରେ,

ସର୍ବସ୍ଵ ହରଣ କରି ତୋ ଚରଣ ରେଣୁରେ ଡୁବାଅ ବାରେ   ।୧୩।

 

(୧୬) ସ୍ଵାଧୀନ ଚାଷକୁ ଚଷରେ

 

ସ୍ଵାଧୀନ ଚାଷକୁ ଚଷରେ ହଳିଆ ଭାଇ

ବରଷେ ଚଷିଲେ ଶସ୍ୟ ଯିବ ଭରା ହୋଇ   ।୧।

 

ଜନମେ ଜନମେ ସୁଖେ ଖାଉଥିବୁ ବସି

ଦୁଃଖୀ ରଙ୍କୀ ଦେଉଥିବୁ ମନେ ହୋଇ ଖୁସି   ।୨।

 

ଯେତେ ଖାଇଲେ ବୋହିଲେ ସରିଯିବ ନାହିଁ

ମରୁଡ଼ିରେ ନ ମରିବ ନ ଯିବରେ ଧୋଇ   ।୩।

 

ମନ ଦେଇ ଶୁଣ ଏବେ ଚାଷର ବେଉସା,

ଯେଉଁ ମାର୍ଗେ ଚଷିଲେତୁ ନୋହିବୁ ନିଆଶା   ।୪।

 

ହୃଦୟକୁ ତୋର ଶସ୍ୟ କ୍ଷେତ୍ର ମନେକର

ପାଗ ଯୋଗ ବାରି ବୁଲାଅରେ ଧର୍ମ ହଳ   ।୫।

 

ସୁମନ ଲଙ୍ଗଳେ ଲଗା  ଅମନର ଲୁହା

କୁମନ କଣ୍ଟିକୁ ଆଣ୍ଟେ ଧରିଥିବୁ ବାୟା   ।୬।

 

ଶିଶୁ ଦେବ ଈଶ  ଗୋଟି ଯତନେ ସଜାଡ଼ି,

ବାନ୍ଧିବୁରେ ଦୃଢ଼େ ଦେଇ ପ୍ରେମର  ଦଉଡ଼ି   ।୭।

 

ଜ୍ଞାନକୁ ଯୁଆଳି ବୋଲି ମଣିବୁରେ ତୁହି

କର୍ମଭକ୍ତି ବଳଦକୁ ଯୋଚି ଦେବୁ ତହିଁ   ।୮।

 

ନିର୍ବାଣ ଅକ୍ଷୟ ବୀଜ କରିଣ ବପନ

ସମତା ମହୀରେ ସର୍ବ କରିବୁ ସମାନ   ।୯।

 

ପ୍ରକୃତି ଘାସକୁ ବାଛି ନ କଲେଟି ସାର

କାମ ବାଳୁଙ୍ଗା କର୍ମକୁ କରିବ ଅଜର   ।୧୦।

 

ବଳଦେବଙ୍କୁ ସୁମରି ବୁଲାଇଲେ ବିଦା

ଷୋକ କଣ୍ଟା ବାଜି ଘାସ ହୋଇଯିବ ପଦା   ।୧୧।

 

ମରିଗଲେ ଶତ୍ରୃ, ଧାନ ହରଷେ ବଢ଼ିବ

ଫୁଲ ହାଟ ସମୟରେ ବାସ ଚହଟିବ   ।୧୨।

 

ପରଂବ୍ରହ୍ମ ରୂପ ହେବ ପକ୍ଵତା ବେଳରେ

ଜୀବ ଉଦ୍ଧାର ହୋଇବ ତା ସେବା ଫଳରେ   ।୧୩।

 

ଏହିପରି ଚାଷ ଯେବେ କରିବୁରେ ଭାଇ

ଧନ୍ୟ ଧନ୍ୟ ପଦ ଦେବେ ଚଷାକୁଳ ଚାହିଁ   ।୧୪।

 

ଶିଖିବେଟି ସର୍ବେ ଆସି ତୋତେ ଗୁରୁ ମାନି

ବିଭୁ କୃପା ବଳେ କାଳେ କାଳେ ହେବୁ ଧନୀ   ।୧୫।

 

ଆତ୍ମା ରାଜ୍ୟେ ରାଜା ହେବୁ ଲଭି ସ୍ଵାଧୀନତା ,

ପ୍ରଜାମନେ ମାନି ନେବେ ତୋର ଅଧୀନତା   ।୧୬।

 

ବିଶ୍ଵ ରାଜରାଣୀ ତୋତେ ହେବେ ସୁପ୍ରସନ୍ନ,

ଅବ୍ୟୟ ଅକ୍ଷୟ ଧନ କରିବୁ ଅର୍ଜନ   ।୧୭।

 

(୧୭) ଅନ୍ତର ଫଟାଇ ଡାକିଲେ  ତାଙ୍କୁ

 

ଅନ୍ତର ଫଟାଇ ଡାକିଲେ ତାଙ୍କୁ ସେ ଶୁଣିଣ ଆସିବେ ଧାଇଁ

ଲୋକ ଦେଖାଣିଆ ଡାକକୁ ସେ କେବେ କାନ ପତାଇବେ ନାହିଁ   ।୧।

 

ଡାକିବା ମତରେ ଯେ ଡାକିଛି ଥରେ  ଆରତେ କାତର ପ୍ରାଣେ

ଆପେ ଆପେ ଯାଇଁ ତାକୁ ଧରା ଦେଇଥାନ୍ତି ତା ଅନୁସରଣେ   ।୨।

 

ଯେତେବେଳେ ଯାହା ଲୋଡ଼ାକରେ ତାହା ଦିଅନ୍ତି ହେଳା ନ କରି

ତାର ପଛେ ପଛେ  ଚାଲିଥାନ୍ତି ସ୍ଵଚ୍ଛେ ଧେନୁ ସଙ୍ଗେ ବତ୍ସା ପରି   ।୩।

 

ଲୁଚି ଲୁଚି ସବୁ କରମ କରାନ୍ତି ସେ ଯେହ୍ନେ ପାଇବ ସୁଖ

ଭକ୍ତ ଅଙ୍ଗେ ଲେଶମାତ୍ର ହେଲେ କ୍ଲେଶ ହୁଅନ୍ତି ପ୍ରଭୁ ବିମୁଖ   ।୪।

 

ଶିଶୁ ଯେଉଁ ପରି ଛାଡ଼ୁଥାନ୍ତି ରଡ଼ି ମାଆ ମାଆ ରାତ୍ର ଦିନେ

ଦୁଃଖରେ ସୁଖରେ ଖୋଜନ୍ତି ମାଆରେ ଅନ୍ୟେ ନଗଣନ୍ତି ମନେ   ।୫।

 

ଦେଲେ ଯେତେ ବୋଧ ନ ସମ୍ଭାଳି କାନ୍ଦ କୋହ  ଉଠୁଥାଏ ଭାରି

ଜନନୀର କୋଳ ଲଭିଣ ଶୀତଳ ହୋଇ ହସେ କିରି କିରି   ।୬।

 

ତଦବତ ଭକ୍ତ ହୋଇ କଷ୍ଟ ଗ୍ରସ୍ତ ମନେ ପାଏ ଯେବେ ବ୍ୟଥା

ପ୍ରଭୁଙ୍କ କରୁଣା ସ୍ମୃତି ପ୍ରାପ୍ତେ ଉଣା ହୋଇ ଯାଏ ସବୁ ଚିନ୍ତା   ।୭।

 

ଶିଶୁର ସ୍ଵଭାବ ହେବାରୁ ଅଭାବ ଡାକି ନ ଜାଣୁଛେ ଆମ୍ଭେ

ବିବେକଙ୍କୁ ଛାଡ଼ି ମରୁଛେ ତ ବୁଡ଼ି କାମିନୀ କାଞ୍ଚନ ଲୋଭେ   ।୮।

 

ସାନ ହୋଇ ଦୀନ ଅବସ୍ଥାକୁ ଧ୍ୟାୟୀ ଡାକିଲେ ହୃଦରେ କାନ୍ଦି

ଦୀନବନ୍ଧୁ ସେହି କୃପାସିନ୍ଧୁ ଇଚ୍ଛାରେ ହୋଇବେ ବାନ୍ଧି   ।୯।

 

ଅନ୍ୟର ଆଶ୍ରୟ ନ କରିଣ ଥୟ ସେ ପାଦେ ପଶ ଶରଣ

ଟିକିଏ ନିର୍ଭର ଥିଲେ ଅନ୍ୟଠାରେ ସବୁ ହେବ ଅକାରଣ   ।୧୦।

 

ଭକ୍ତ ଦୀନ ପାଇଁ ଅବତାର ସେହି ହୋଇଛନ୍ତି ଧରାଧାମେ

ଯେ ଭାବେ ଯେପରି ତାକୁ ସେହିପରି ସନ୍ତୋଷ ଦିଅନ୍ତି କ୍ଷଣେ   ।୧୧।

 

କରି ପୁତ୍ର ଶ୍ରଦ୍ଧା ପାଇଲେ ଯଶୋଦା କଲେତ ବାତ୍ସଲ୍ୟ ସ୍ନେହ

ପତି ଭାବେ ଚିନ୍ତି ବରଜ ଯୁବତୀ ବ୍ରହ୍ମରେ ହୋଇଲେ ଲୟ   ।୧୨।

 

ପଞ୍ଚମନ ପ୍ରାଣେ ଲୟ ସୂତ୍ର ଧ୍ୟାନେ ଡାକରେ କରୁଣ ସ୍ଵରେ

ଶ୍ରୀ ଗୋଲକ ପତି ଜାଣି ତୁମ୍ଭ ଭକ୍ତି ମଣ୍ତି ଦେବେ ଆଶିଷରେ   ।୧୩।